fbpx

ଜୁନ୍ ୨୦ ସ୍ପେଶାଲ ଡେ’ ଫର୍ ବିରାଟ: ୧୩ ବର୍ଷ ପୂର୍ବେ ଆଜିର ଦିନରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ କିଙ୍ଗ କୋହଲି

ଓଡିଶା ଭାସ୍କର: ‘ବିରାଟ କୋହଲି’- ଭାରତୀୟ କ୍ରିକେଟର ‘କିଙ୍ଗ’ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି । ବିଶ୍ୱ କ୍ରିକେଟର ମହାନତମ କ୍ରିକେଟରଙ୍କ ମଧ୍ୟରେ ସେ ଅନ୍ୟତମ । ପଡିଆରେ ନିଜର ଖୁଲା ମିଜାଜ ତଥା ଆକ୍ରମଣାତ୍ମକ ଶୈଳୀ ପାଇଁ ମଧ୍ୟ ସେ ବେଶ୍ ପରିଚିତ । ଭାରତୀୟ କ୍ରିକେଟରେ ରନ୍ ମେଶିନ କୋହଲିଙ୍କୁ କ୍ରିକେଟର କୋହିନୂର କହିଲେ ବି ଅତ୍ୟୁକ୍ତି ହେବ ନାହିଁ । କ୍ରିକେଟର ଏହି ସର୍ବଶ୍ରେଷ୍ଠ ବ୍ୟାଟର ୧୩ ବର୍ଷ ପୂର୍ବେ ଆଜିର ଦିନରେ ନିଜର ଟେଷ୍ଟ ପଦାର୍ପଣ କରିଥିଲେ । କିଙ୍ଗ କୋହଲି ୨୦୧୧ ମସିହା ଜୁନ ୨୦ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଏହି ଫର୍ମାଟରେ ଭାରତରେ ସର୍ବଶ୍ରେଷ୍ଠ ଅଧିନାୟକ ଭାବରେ ସାରା ବିଶ୍ୱରେ ଚମକିଥିଲେ ।

ଜଣେ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନି ତଥା ଅନ୍ୟ ଭାରତୀୟ ସଫଳ ଅଧିନାୟକମାନଙ୍କୁ ବି ସେ ଏହି ଫର୍ମାଟରେ ମାତ୍ ଦେଇଥିଲେ । ଧୋନିଙ୍କ ପରେ ସେ ଏହି ଫର୍ମାଟରେ ଅଧିନାୟକ ଭାର ସମ୍ଭାଳିଥିଲେ । କ୍ୟାପଟେନ କୁଲ ଏମ୍ଏସ ଧୋନି ୬୦ ଟେଷ୍ଟ ମ୍ୟାଚ୍ରେ ଭାରତର ଅଧିନାୟକତ୍ୱ କରି ୨୭ ଟିରେ ବିଜୟୀ ହୋଇଛନ୍ତି । କିନ୍ତୁ, କିଙ୍ଗ କୋହଲି ୬୮ ଟି ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକ ରହି ସେଥିରୁ ୪୦ ଟିରେ ଟିମ୍ ଇଣ୍ଡିଆକୁ ଜିତାଇଛନ୍ତି । କୋହଲିଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ ଟେଷ୍ଟ ଟିମ୍ରେ ଅନେକ ପରିବର୍ତ୍ତନ ହୋଇଥିଲା ଓ ଭାରତ ଏହି ଫର୍ମାଟରେ ବିଶ୍ୱରେ ସର୍ବଶ୍ରେଷ୍ଠ ଦଳ ଭାବରେ ଖ୍ୟାତି ଲାଭ କରି ପାରିଥିଲା । ରନ୍ ମେଶିନ କୋହଲି ଭାରତ ପକ୍ଷରୁ ମୋଟ ୧୧୩ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ଟେଷ୍ଟରେ କୋହଲିଙ୍କ ପ୍ରଦର୍ଶନ:

କୋହଲି ଭାରତ ପକ୍ଷରୁ ମୋଟ ୧୧୩ ଟି ଟେଷ୍ଟ ଖେଳି ୪୯.୧୫ ହାରରେ ମୋଟ ୮୮୪୮ ରନ କରିଛନ୍ତି । ଏଥିରେ ୨୯ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଏଥିସହ ଟେଷ୍ଟରେ କିଙ୍ଗ କୋହଲି ୨ଟି ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ କୋହଲିଙ୍କ ସର୍ବଶ୍ରେଷ୍ଠ ୨୫୪ ( ନଟ ଆଉଟ) ରନର ପାଳି ରହିଛି । ସେ ମୋଟ ୧୯୧ଟି ଇନିଂସ ଖେଳିଛନ୍ତି ଟେଷ୍ଟରେ । ଏଥିସହିତ ଟେଷ୍ଟରେ ସେ ୯୯୧ଟି ଚୌକା ଓ ୨୬ଟି ଛକା ମାରିଛନ୍ତି । ଏହି ଫର୍ମାଟରେ ତାଙ୍କ ନାମରେ ଅନେକ ରେକର୍ଡ ରହିଛି । କୋହଲି କ୍ରିକେଟ ଜଗତରେ ଅଧିନାୟକ ଭାବରେ ସବୁଠୁ ବେଶୀ ରନ କରିଥିବା ଷଷ୍ଠ ଖେଳାଳି । ଏହି ରେକର୍ଡରେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ପ୍ରଥମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.