fbpx

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଚାଲିଛି ଦଇତା ପ୍ରବେଶ ନୀତି

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଏହି ସ୍ନାନ ପୂର୍ଣ୍ଣମା ଅର୍ଥାତ କାଲିଠାରୁ ଦଇତାପତି ମାନଙ୍କର ଦଳଗତ ଭାବରେ ସେବା କାର୍ଯ୍ୟରେ ନିୟୋଜିତ ହେବେ । ସେଥିଲାଗି ଗୁରୁବାର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଥିବା ସେନାପଟା ଲାଗି ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ ।

ଖବର ଅନୁଯାୟୀ, ନୀତିନିର୍ଘଣ୍ଟ ସୂଚୀ ଅନୁସାରେ ମଙ୍ଗଳାର୍ପଣ ଭୋର ୩ଟା ୩୦ରୁ ଆରମ୍ଭ ହୋଇ ପରେ ପୁଷ୍ପାଞ୍ଜଳି ଏବଂ ଡୋରଲାଗି ନୀତି ହୋଇ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ଆରମ୍ଭ ୪ଟା ରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ବିଭିନ୍ନ ପ୍ରକାରର ନୀତି ମଙ୍ଗଳ ଆଳତି, ତଡପ ଲାଗି, ମଇଲମ, ଦ୍ୱାରପାଳ ପୂଜା ସୂର୍ଯ୍ୟ ପୂଜାର ସମ୍ପନ୍ନ ହେବ । ପୂଜାବିଧି ପରେ ଶ୍ରୀଜୀଉମାନଙ୍କୁ ଶହେ ଆଠ ଗରା ସୁଗନ୍ଧିତ ଜଳରେ ରୀତିନୀତି ଅନୁସାରେ ସ୍ନାନ କରାଯିବ । ଶହେ ଆଠ ଗରା ସୁବାସିତ ଜଳରୁ ବଡ ଠାକୁରଙ୍କର ୩୩ ଗଡା, ମହାପ୍ରଭୁଙ୍କ ୩୫ ଗରା, ମା ସୁଭଦ୍ରାଙ୍କର ୨୨ ଗରା ଏବଂ ସୁଦର୍ଶନଙ୍କ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ ।

ସେହିପରି ରୀତିନୀତି ଅନୁସାରେ ଦିନ ୧.୫୦ ଘଟିକା ସୁଦ୍ଧା ମଇଲମ, ମେକାପ ସର୍ବାଙ୍ଗ, ନୂତନ ଲୁଗା ପରିଧାନ ହେବ । ପରେ ଛେରାପହଁରା ସହ ହାତୀବେଶ ଦର୍ଶନ ୨ ଘଟିକା ସମୟରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସହାଣାମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ ଦେବେ । ରାତି ୧ଟାରୁ ୧.୩୦ ପର୍ଯ୍ୟନ୍ତ ରାହୁରେଖା ମଇଲମ ଏବଂ ସୁନା ଚିତା କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିଅଁଙ୍କ ହାତୀବେଶ ପାଇଁ ପ୍ରତିବର୍ଷ ପରି ରାଘବଦାସ ମଠରୁ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ କିଛି ସାମଗ୍ରୀ ପ୍ରସ୍ତୁତ ଚାଲିଛି । ମହାପ୍ରଭୁଙ୍କ ଏହି ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଥିସହ ୪ କମାଣ୍ଡର, ଏସପିଙ୍କ ସହ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Get real time updates directly on you device, subscribe now.