fbpx

ଦାର୍ଜିଲିଂ ଟ୍ରେନ ଟ୍ରାଜେଡିରେ ପ୍ରକୃତ ଉତ୍ତରଦାୟୀ କିଏ? ଯାଞ୍ଚ ରିପୋର୍ଟରୁ ମିଳିଲା ଉତ୍ତର…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଘଟି ଯାଇଥିବା ଭୟଙ୍କର କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ହୋଇଛି ମହାଖୁଲାସା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଯାତ୍ରୀ ଏବଂ ୬୦ ଆହତଙ୍କ ଦୁର୍ଦ୍ଦଶାର ପ୍ରକୃତ ଦୋଷୀକୁ କୋଜି ବାହାର କରିଛି ତଦନ୍ତକାରୀ ଟିମ୍ । ଏହି ଦୁର୍ଘଟଣା ପାଇଁ ମାଲଗାଡ଼ିର ଡ୍ରାଇଭର, ସହାୟକ ଡ୍ରାଇଭର ଏବଂ ଗାର୍ଡଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି । ପୂର୍ବୋତ୍ତର ସୀମାନ୍ତ ରେଲୱେର ସଂଯୁକ୍ତ ଯାଞ୍ଚ ରିପୋର୍ଟ ଏ ନେଇ ସୂଚନା ଦେଇଛି । ମାଲଗାଡ଼ିର କ୍ରୁ ମେମ୍ବର ନିୟମ ନ ମାନି ଗାଡ଼ି ଚଳାଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟି ଯାଇଥିବା କୁହାଯାଇଛି । ଏହାବ୍ୟତୀତ ଦୁର୍ଘଟଣା ସମ୍ପର୍କରେ ଆହୁରି ଅନେକ ଖୁଲାସା ହୋଇଛି ।

ରେଲୱେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟ୍ରେନ ମାନୁଆଲ ଅନୁସାରେ ଦୁର୍ଘଟଣା ପରେ ଡିଭିଜନ୍ ସ୍ତରର ଅଧିକାରୀ ଏହାର ଯାଞ୍ଚ କରି ରିପୋର୍ଟ ଦାଖଲ କରିଛନ୍ତି । ଏହାସହିତ ରେଳ ସଂରକ୍ଷଣ ଆୟୂକ୍ତ ବା ସିଆରଏସ ତରଫରୁ ମଧ୍ୟ ଏହି ଘଟଣାର ଅଲଗା ଭାବରେ ଯାଞ୍ଚ କରାଯାଇଛି । NFR ଡିଭିଜନର ସେକ୍ସନ ଇଞ୍ଜିନିୟର, ପାଥ-ୱେ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ପ୍ରମୁଖ ଅଧିକାରୀ ପ୍ରାଥମିକ ଯାଞ୍ଚରେ ମାଲଗାଡ଼ିର କ୍ରୁ ମେମ୍ବରଙ୍କୁ ହିଁ ଦୁର୍ଘଟଣାର ଦୋଷୀ ବୋଲି ଦର୍ଶାଇଛନ୍ତି । ତେବେ ଦୁର୍ଘଟଣାର ୩ ଘଣ୍ଟା ପୂର୍ବରୁ ସିଗନାଲ ସିଷ୍ଟମରେ କିଛି ସମସ୍ୟା ଥିବା ମଧ୍ୟ ଜାଣିବାକୁ ମିଳିଛି ।

କୁହାଯାଇଛି ଯେ, କୌଣସି ସେକ୍ସନରେ ଅଟୋମେଟିକ ସିଗନାଲ ସିଷ୍ଟମ ଖରାପ ହେଲେ, ଟ୍ରାଭେଲିଙ୍ଗ ଅଥରିଟି ୯୧୨(TA-912) ମେମୋ ସହ ଯାତ୍ରୀ ଟ୍ରେନ ଏବଂ ମାଲଗାଡ଼ିର ସଞ୍ଚାଳନ କରାଯାଇଥାଏ । ଏଥିରେ ଲାଲ୍ ସିଗନାଲରେ ଟ୍ରେନକୁ ୧ ମିନିଟ ରହିବାକୁ ପଡ଼ିଥାଏ ଏବଂ ମାତ୍ର ୧୫ କି.ମି ବେଗରେ ଟ୍ରେନ ଚାଳନା କରିବାକୁ ପଡ଼ିଥାଏ । ରଙ୍ଗାପାଣି-ଛତର ସେକ୍ସନରେ ସମସ୍ୟା ଥିବାରୁ ସେଦିନ ଏହି ଦୁର୍ଘଟଣା ଘଟି ଯାଇଥିଲା । TA-912 ଅନୁସାରେ ପାସେଞ୍ଜର ଟ୍ରେନ ପରିଚାଳନା ହୋଇଥିବା ବେଳେ ମାଲଗାଡ଼ିର ଡ୍ରାଇଭର-ସହାୟକ ଡ୍ରାଇଭର ଏହି ନିୟମ ପାଳନ କରି ନଥିଲେ । ୧୫ କି.ମି ପରିବର୍ତ୍ତେ ପ୍ରାୟ ୪୫ ଘଣ୍ଟା ବେଗରେ ମାଲଗାଡ଼ି ଚାଳନା କରୁଥିବା ବେଳେ ଏହା ସାମନାରେ ଥିବା କାଞ୍ଚନଜଙ୍ଗା ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଏଥିରେ ମାଲଗାଡ଼ିର ଟ୍ରେନ ମ୍ୟାନେଜର(ଗାର୍ଡ)ଙ୍କର ଅବହେଳା ରହିଛି । ଗାର୍ଡ ନିକଟରେ ଇମରଜେନ୍ସି ବ୍ରେକ ଲଗାଇବା ସହ ଡ୍ରାଇଭର-ସହାୟକ ଡ୍ରାଇଭରଙ୍କୁ ସତର୍କ କରାଇବା ଦାୟିତ୍ୱରେ ରହିଥାନ୍ତି ।

Get real time updates directly on you device, subscribe now.