fbpx

ଟି-୨୦ ବିଶ୍ୱକପରେ ବିଶ୍ୱ ରେକର୍ଡ କଲେ ଶାକିବ: ପ୍ରଥମ ବୋଲର ଭାବରେ ସୃଷ୍ଟି କଲେ ଇତିହାସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ତେବେ ସୁପର-୮ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୫୦ ରନରେ ମାତ୍ ଦେଇଛି ରୋହିତ ସେନା । ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏହି ମ୍ୟାଚ ଉପରେ କବଜା କରିଛି । କିନ୍ତୁ ମ୍ୟାଚ ପରାଜୟ ହୋଇଥିଲେ ମଧ୍ୟ ଟି-୨୦ ବିଶ୍ୱକପରେ ଏକ ଇତିହାସ ସୃଷ୍ଟି କରିଛନ୍ତି ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ । ଇତିହାସରେ ପ୍ରଥମ ବୋଲର ଭାବରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ଶାକିବ ଅଲ ହାସନ୍ ।

ଟି-୨୦ ବିଶ୍ୱକପରେ ପ୍ରଥମ ବୋଲର ଭାବରେ ଶାକିବ ୫୦ ୱିକେଟ ନେବାରେ ସଫଳ ହୋଇଛନ୍ତି । ଟିମ ଇଣ୍ଡିଆ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି ଶାକିବ । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହାସଲ କରିବା ସହିତ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ବାଂଲାଦେଶର ପୂର୍ବତନ ଅଧିନାୟକ ଶାକିବ ଅଲ ହାସନ୍ । ଟିମ ଇଣ୍ଡିଆ ବିପକ୍ଷରେ ୩ ଓଭର ବୋଲିଂ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଶାକିବ । ଏହି ମ୍ୟାଚରେ ୧୨.୩ ହାରରେ ରନ୍ ବ୍ୟୟ କରି ୩୭ ରନ୍ ଦେଇଛନ୍ତି । ଏହାପରେ ମଧ୍ୟ ସେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଏହି ମ୍ୟାଚରେ ଏକ ମାତ୍ର ୱିକେଟ ଭାବରେ ସେ ରୋହିତ ଶର୍ମାଙ୍କ ୱିକେଟ ହାସଲ କରିଛନ୍ତି । ଏହି ୱିକେଟ ସହିତ ଟି-୨୦ ବିଶ୍ୱକପରେ ୫୦ତମ ୱିକେଟ ନେଇଛନ୍ତି ଶାକିବ । ୪୨ଟି ମ୍ୟାଚ କେଳି ଶାକିବ ଏହି ଉପଲବ୍ଧ ହାସଲ କରିଛନ୍ତି ।

ତେବେ ଶାକିବଙ୍କ ପରେ ଦ୍ୱିତୀୟ ସ୍ଥାନରେ ଶାହିଦ ଆଫ୍ରିଦି(୩୯) ରହିଥିବା ବେଳେ ତୃତୀୟ ସ୍ଥାନରେ ଲାସିଥ ମାଲିଙ୍ଗା (୩୮) ରହିଛନ୍ତି । ତେବେ ଉଭୟ ଖେଳାଳି ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରି ସାରିଛନ୍ତି । ସେହିପରି ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା ୩୭ଟି ୱିକେଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଚମରେ ଆଡାମ ଜାମ୍ପା ୩୬ ଟି ୱିକେଟ ନିଜ ନାମରେ କରିଛନ୍ତି । ଏହି ତାଲିକାରେ କୌଣସି ଭାରତୀୟ ବୋଲରଙ୍କ ନାଁ ସାମିଲ ନାହିଁ ।

Get real time updates directly on you device, subscribe now.