fbpx

FSSAIର ନୂଆ ନିୟମ: ଖାଦ୍ୟ ପଦାର୍ଥରେ କେତେ ମାତ୍ରାରେ ଚିନି, ଲୁଣ ଓ ଫ୍ୟାଟ ରହିଛି, ତାହାକୁ ବଡ଼ ଓ Bold ଅକ୍ଷରରେ ଲେଖିବେ କମ୍ପାନୀ

ନୂଆଦିଲ୍ଲୀ: ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରି ହେଉଥିବା ବେଳେ ସେଥିମଧ୍ୟରୁ କିଛି ସାମଗ୍ରୀର ପ୍ୟାକେଜିଂ ହେଲଥ୍ ଚଏସ ଅନୁସାରେ କରାଯାଇଥାଏ । ମାତ୍ର ସେଥିରେ କିଛି ଉପାଦନ ରହିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କମ୍ପାନୀମାନେ ସମସ୍ତ ସାମଗ୍ରୀକୁ ହେଲଦୀ କହି ନିଜର ମାର୍କେଟିଂ କରିଥାନ୍ତି । ତେଣୁ ଆପଣମାନେ ଯଦି ଏପରି କୌଣସି ପ୍ୟାକେଜଡ ଫୁଡ କିଣୁଥିବେ ତେବେ ତା’ର ଲେବଲ ନିଶ୍ଚିତ ଭାବେ ଚେକ୍ କରନ୍ତୁ ।

ଏଣିକି ଡବା ଭିତରେ ବନ୍ଦ ହୋଇ ରହିଥିବା ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଓ ସାଚୁରେଟେଡ ଫ୍ୟାଟର ମାତ୍ରା ବିଷୟରେ କମ୍ପାନୀମାନଙ୍କୁ ବଡ଼ ଓ ବୋଲ୍ଡ ଅକ୍ଷରରେ ଲେଖିବାକୁ ପଡ଼ିବ । ବୋଲ୍ଡ ଅକ୍ଷର ସହିତ ବଡ଼ ଫଣ୍ଟରେ ଏନେଇ ସୂଚନା ଦେବା ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ତରଫରୁ ନୂଆ ନିୟମ ଧାର୍ଯ୍ୟ ହେବାକୁ ଯାଉଛି । କମ୍ପାନୀମାନଙ୍କୁ ପ୍ୟାକେଜିଂ ସାମଗ୍ରୀର ସମ୍ବନ୍ଧୀୟ ସୂଚନା ମୋଟା ଅକ୍ଷର ଓ ବୋଲ୍ଡ ଫଣ୍ଟ ସାଇଜରେ ପ୍ରଦର୍ଶିତ କରିବାକୁ ପଡ଼ିବ ।

ଏହି ଲେବଲିଂର ନିୟମକୁ ପରିବର୍ତ୍ତନ ନେଇ ନିୟାମକ ପକ୍ଷରୁ ମଞ୍ଜୁରୀ ମିଳିଛି । ଏଫଏସଏସଏଆଇ ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଖାଦ୍ୟ ପ୍ରାଧିକରଣର ୪୪ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୋଷଣ ସମ୍ବନ୍ଧୀୟ ସୂଚନା ଲେବଲିଂ ବାବଦରେ ଖାଦ୍ୟ ସୁରକ୍ଷା ଓ ମାନକ (ଲେବଲିଂ ଓ ପ୍ରଦର୍ଶନ) ବିନିମୟ, ୨୦୨୦ର ସଂଶୋଧନକୁ ମଞ୍ଜୁରୀ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଉପଭୋକ୍ତାଙ୍କୁ ଉତ୍ପାଦର ପୋଷଣ ମୂଲ୍ୟ ବିଷୟରେ ଭଲ ଭାବେ ବୁଝାଇବା ଓ ଉତ୍ତମ ନିଷ୍ପତ୍ତି ନେବା ପାଇଁ ସକ୍ଷମ କରାଇବା ଏହା ପଛର ଉଦ୍ଦେଶ୍ୟ ।

ଏହି ସଂଶୋଧନ ସମ୍ବନ୍ଧୀୟ ଅଧିସୂଚନା ଏବେ ପରାମର୍ଶ ଓ ଅଭିଯୋଗ ଆମନ୍ତ୍ରଣ ଉଦ୍ଦେଶ୍ୟରେ ପବ୍ଲିକ ଡୋମେନରେ ରଖାଯିବ । ସାମଗ୍ରୀରେ କେତେ ଚିନି, କେତେ ସାଡିୟମ ସାମଗ୍ରୀ ଓ କେତେ ଫ୍ୟାଟ ରହିଛି ତା’ର ସୂଚନା ପ୍ରତିଶତରେ ପ୍ରଦର୍ଶିତ କରାଯିବ ଓ ତାହାକୁ ମୋଟା, ବଡ଼ ଅକ୍ଷରରେ ଲେଖାଯିବ । ମିଥ୍ୟା ଓ ଭ୍ରମାତ୍ମକ ତଥ୍ୟକୁ ରୋକିବା ପାଇଁ ଅନେକ ସମୟରେ ଏଫଏସଏସଏଆଇ ତରଫରୁ ପରାମର୍ଶ ଜାରି କରାଯାଇଥାଏ । ସେଥିରେ ‘ହେଲଥ ଡ୍ରିଙ୍କ’ ଶବ୍ଦକୁ ହଟାଇବା ପାଇଁ ଇ-କମର୍ସ ୱେବସାଇଟକୁ ପଠାଯାଇଥିବା ପରାମର୍ଶ ସାମିଲ ରହିଛି ।

Get real time updates directly on you device, subscribe now.