fbpx

ବଜେଟରେ ହେବ ବଡ଼ ଘୋଷଣା: ନିଜ ଚାକିରିର ଶେଷ ଦରମାର ଅଧା ଅର୍ଥ ପେନସନ୍ ଆକାରରେ ପାଇବେ କେନ୍ଦ୍ର କର୍ମଚାରୀ!

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪ ସଂସଦରେ ଆଗତ କରିବେ । ତେବେ ଦୀର୍ଘ ସମୟ ଧରି ପୁରୁଣା ପେନସନ ସ୍କିମ (ଓପିଏସ)କୁ ବିରୋଧୀ ପକ୍ଷରୁ ସମର୍ଥନ କରାଯାଇ ଆସୁଥିବା ବେଳେ ଅନେକ ରାଜ୍ୟ ଏହାକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କେନ୍ଦ୍ର ସରକାର ଓପିଏସକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହା ବଦଳରେ ନୂଆ ପେନସନ ସ୍କିମ (ଏନପିଏସ)ରେ ପରବର୍ତ୍ତନ ଆଣି କର୍ମଚାରୀଙ୍କୁ ଅଧିକ ପେନସନ ଦେବା ପାଇଁ ଯୋଜନା କରୁଛନ୍ତି । ତେଣୁ ଆସନ୍ତା ୨୩ ତାରିଖରେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ।

ଏକ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଚଳିତ ବଜେଟ ୨୦୨୪ରେ କର୍ମଚାରୀଙ୍କୁ ଏନପିଏସରେ ଗ୍ୟାରେଣ୍ଟି ରିଟର୍ଣ୍ଣ ଅଫର କରିପାରନ୍ତି । କର୍ମଚାରୀଙ୍କୁ ପେନସନ ଆକାରରେ ନିଜର ଶେଷ ଦରମାର ୫୦ ପ୍ରତିଶତ ଅର୍ଥ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇପାରେ । ଏଭଳି ହେଲେ କୋଟି କୋଟି କର୍ମଚାରୀ ବିଶେଷ ଭାବେ ଉପକୃତ ହେବେ । ବର୍ତ୍ତମାନର ଯୋଜନାରେ ୨୫-୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଥିବା କର୍ମଚାରୀଙ୍କୁ ଭଲ ରିଟର୍ଣ୍ଣ ମିଳୁଛି । ଯେଉଁ କର୍ମଚାରୀମାନେ ୨୦୦୪ ପରେ ଏଥିରେ ସାମିଲ ହେଉଛନ୍ତି ସେମାନେ ଏହାର ଫଶଇଦା ଉଠାଉଛନ୍ତି ।

ଏନପିଏସକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେନ୍ଦ୍ର ସରକାର ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । କର୍ମଚାରୀଙ୍କୁ ସେମାନଙ୍କର ଶେଷ ବେତନର ୫୦ ପ୍ରତିଶତ ପେନସନ ଆକାରରେ ଦେବା ପାଇଁ କେନ୍ଦ୍ର ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା ପରେ ଗତବର୍ଷ ଅର୍ଥ ସଚିବ ଟିଭି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଓପିଏସକୁ ପୁଣି ଲାଗୁ ନକରି ଏନପିଏସରେ ଫାଇଦାରେ ସୁଧାର ଆଣିବା ପାଇଁ ସମୀକ୍ଷା କରିଥିଲା । ଗତବର୍ଷ କଂଗ୍ରେସ ଦ୍ୱାରା କିଛି ରାଜ୍ୟରେ ଓପିଏସକୁ ପୁଣି ଲାଗୁ କରାଯିବା ପରେ ଏହି କମିଟି ଗଠନ କରାଯାଇଥିଲଶ । ସେ ସମୟରେ କେନ୍ଦ୍ର ସରକାର ଓପିଏସକୁ ପୁଣି ଲାଗୁ କରିବାକୁ ଅଗ୍ରାହ୍ୟ କରିଦେଇଥିଲେ ।

Get real time updates directly on you device, subscribe now.