fbpx

ହାର୍ଦ୍ଦିକ vs ଶୁଭମନ୍… କିଏ ହେବେ Permanent Captain? ଅଧିନାୟକ ତାଲିକାରେ ୫ ଖେଳାଳି

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ୍ ପରେ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ଜଣେ ନୂଆ ଅଧିନାୟକ ସନ୍ଧାନରେ ରହିଛି ବିସିସିଆଇ । ତେବେ ରୋହିତଙ୍କ ନେତୃତ୍ୱ ସମୟରେ ହାର୍ଦ୍ଦିକଙ୍କୁ ଦଳର ଉପ-ଅଧିନାୟକ ପଦ ମିଳିଥିଲା । ତେଣୁ ତାଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ପଦ ମିଳିପାରେ ବୋଲି ଆଶା କରାଯାଉଛି । ହାର୍ଦ୍ଦିକଙ୍କ ବ୍ୟତୀତ ଏହି ଦୌଡ଼ରେ ଆହୁରି ୪ ଜଣ ଖେଳାଳି ମଧ୍ୟ ସାମିଲ ରହିଛନ୍ତି । ତେବେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପରେ ଅଧିନାୟକ ଦୌଡ଼ରେ ଆଉ ଏକ ନାମ ମଧ୍ୟ ସାମିଲ ହୋଇଛି । ତେବେ କାହାକୁ ସ୍ଥାୟୀ ଅଧିନାୟକ ପଦ ଦେବ ଟିମ ମ୍ୟାନେଜମେଣ୍ଟ?

ଭାରତର ନୂଆ ଅଧିନାୟକ(ଟି-୨୦) ଦୌଡ଼ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ ଆଗରେ ରହିଛନ୍ତି । ଏହାପରେ ଜଶପ୍ରୀତ ବୁମରାହ, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତ ମଧ୍ୟ ଅଧିନାୟକ ପଦ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଜିମ୍ବାୱେ ଗସ୍ତରେ ଶୁଭମନ ଗିଲଙ୍କ ପ୍ରଦର୍ଶନ ପରେ ସେ ମଧ୍ୟ ଏହି ତାଲିକାରେ ଏଣ୍ଟ୍ରି କରିଛନ୍ତି । ଏହି ସିରିଜର ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟୀ ହୋଇ ଅଧିନାୟକ ଭାବରେ ପ୍ରଥମ ସିରିଜ ଜିତିଛନ୍ତି ଶୁଭମନ ଗିଲ୍ । ତେଣୁ ହାର୍ଦ୍ଦିକ ଏବଂ ଅନ୍ୟ ଖେଳାଳିଙ୍କ ପାଇଁ ଅଧିନାୟକ ତାଲିକାରେ ବର୍ତ୍ତମାନ ଗିଲ୍ ଜଣେ ନୂଆ ପ୍ରତିଯୋଗୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ପରାଜୟ ପରେ ଗିଲଙ୍କ ନେତୃତ୍ୱକୁ ନେଇ ଆଲୋଚନା ହୋଇଥିଲା । କିନ୍ତୁ ଏହାପରେ ଦମଦାର କମବ୍ୟାକ କରି ୪-୧ ମ୍ୟାଚରେ ସିରିଜ ହାତେଇଛି ଶୁଭମନ ସେନା ।

ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ପରେ ଶୁଭମନ ଗିଲ୍ କହିଛନ୍ତି ଯେ, ମୋତେ ନେତୃତ୍ୱ ନେବାରେ ଖୁବ ମଜା ଆସୁଛି । ଏହାଦ୍ୱାରା ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରୁଛି । ତେବେ ଅଧିନାୟକ ଦୌଡ଼ରେ ହାର୍ଦ୍ଦିକଙ୍କ ପାଇଁ ବେଶ୍ ଚାଲେଞ୍ଜ ଦେଇପାରନ୍ତି ଶୁଭମନ ଗିଲ୍ । ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱରେ ରହିବେ ଏବଂ ଟି-୨୦ ଫର୍ମାଟ ପାଇଁ ନୂଆ ଅଧିନାୟକ ଖୋଜୁଛି କ୍ରିକେଟ ବୋର୍ଡ । ତେବେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ଟି-୨୦ ଫର୍ମାଟର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବ ବିସିସିଆଇ ।

Get real time updates directly on you device, subscribe now.