fbpx

ଭଗବାନ ଶିବଙ୍କର ବେଶ୍ ପ୍ରିୟ ଏହିସବୁ ଗଛ: ଶ୍ରାବଣ ମାସରେ ଲଗାନ୍ତୁ ଏହି ବୃକ୍ଷ, ମିଳିବ ବାବାଙ୍କ କୃପା

ଓଡ଼ିଶା ଭାସ୍କର: ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ହେଉଛି ଶ୍ରାବଣ ମାସ । ଏବର୍ଷ ଶ୍ରାବଣ ମାସ ଏଥିପାଇଁ ସ୍ୱତନ୍ତ୍ର କାରଣ, ୧୯ ବର୍ଷ ପରେ ଏଥର ଦୁଇଟି ଶ୍ରାବଣ ଅର୍ଥାତ ଯୋଡା ଶ୍ରାବଣ ପଡୁଛି । ଏହି ମାସରେ ପ୍ରାୟତଃ ସମସ୍ତ ଛୋଟ ବଡ ଶିବ ମନ୍ଦିରରେ ଭକ୍ତମାନଙ୍କର ଭିଡ ଲାଗିଥାଏ । ଶ୍ରାବଣ ମାସରେ ଭୋଳାନାଥଙ୍କୁ ସନ୍ତୁଷ୍ଠ କରିବା ପାଇଁ ଭକ୍ତମାନେ ପୂଜାର୍ଚ୍ଚନା କରିବା ସହ ଭାଙ୍ଗ ଓ ବେଲପତ୍ର ଚଢାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏମିତି କିଛି ଗଛ ଅଛି ଯାହା ମହାଦେବଙ୍କର ଅତି ପ୍ରିୟ ଅଟେ । ଶ୍ରାବଣ ମାସରେ ଏହି ଗଛ ଗୁଡିକ ଲଗାଇଲେ ଭଗବାନ ଶିବଙ୍କର କୃପା ମିଳିବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହା ସହିତ ଗଛ ଗୁଡିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ । ତେବେ କେଉଁ ଗଛ ଗୁଡିକ ଲଗାଇଲେ ଭୋଳାନାଥ ସନ୍ତୁଷ୍ଠ ହୁଅନ୍ତି ଆସନ୍ତୁ ଜାଣିବା ।

ଚମ୍ପା ଗଛ – ଚମ୍ପା ଗଛ ଔଷଧୀୟ ଗୁଣରେ ଭରପୁର ହେବା ସହ ସୁଗନ୍ଧିତ ବାସ୍ନା ମଧ୍ୟ ଦେଇଥାଏ । ଚମ୍ପା ଫୁଲକୁ ଭୋଳାନାଥଙ୍କ ପାଖରେ ଚଢାଇଲେ ଅପାର କରୁଣା ମିଳିବା ସହ ଘର ସୁଖ ସମୃଦ୍ଧିରେ ଭରିଯାଏ ।

ବେଲ ଗଛ- ବେଲ ଗଛର ପତ୍ର ସବୁଠାରୁ ପବିତ୍ର ବୋଲି କୁହାଯାଏ । ଏହି ଗଛର ପତ୍ର ଶଙ୍କରଙ୍କ ସବୁଠାରୁ ପ୍ରିୟ ପତ୍ର ଅଟେ । ଶିବଙ୍କ ପାଖରେ ବେଲ ପତ୍ର ଚଢାଇଲେ ଭଗବାନ ପ୍ରସନ୍ନ ହୁଅନ୍ତି । କେବଳ ଏହାର ପତ୍ର ନୁହେଁ ବରଂ ଏହାର ଫଳ ମଧ୍ୟ ବେଶ ଉପକାରୀ ।

କଦଳୀ ଗଛ- ଶ୍ରାବଣ ମାସରେ କଦଳୀ ଗଛ ଲଗାଇବା ନିହାତୀ ଜରୁରୀ । କାରଣ ଏହା କରିବା ଦ୍ୱାରା ଭଗବାନ ଶିବ ଖୁସି ହୁଅନ୍ତି । ଏହା ସହ କଦଳୀ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ । ଏହାକୁ ପୂଜାରେ ମଧ୍ୟ ବ୍ୟବହାର କରାଯାଏ ।

ଅଶ୍ୱତ୍ଥ ଗଛ- ଭାରତୀୟ ସଂସ୍କୃତି ଅନୁସାରେ ଅଶ୍ୱତ୍ଥ ଗଛକୁ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଏହି ଗଛ ବାୟୁମଣ୍ଡଳକୁ ଅଧିକ ଅମ୍ଳଜାନ ପ୍ରଦାନ କରିଥାଏ । ଏହାର ପତ୍ର ନିୟମିତ ଖାଇବା ଦ୍ୱାରା ଶ୍ୱାସନଳୀ, ପିତ୍ତ ଓ କଫ ଭଳି ରୋଗ ଭଲ ହୋଇଥାଏ । ଏହି ଗଛ ଲଗାଇଲେ ଭଗବାନ ଶଙ୍କରଙ୍କର ଅପାର କରୁଣା ଲାଭ ହୋଇଥାଏ ।

ଅଁଳା ଗଛ- ଶ୍ରାବଣ ମାସରେ ଅଁଳା ଗଛ ଲଗାଇଲେ ମହାଦେବଙ୍କର ଆଶିର୍ବାଦ ମିଳିଥାଏ । ଏହି ଗଛର ପତ୍ର ଓ ଫଳ ଉଭୟରେ ଅନେକ ଔଷଧୀୟ ଗୁଣ ଭରି ରହିଛି ।

Get real time updates directly on you device, subscribe now.