fbpx

ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ

ମୁମ୍ୱାଇ: ପତଞ୍ଜଳି ଆୟୁର୍ବେଦ ଉପରେ ବମ୍ବେ ହାଇକୋର୍ଟ ୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ବମ୍ବେ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ବମ୍ବେ ହାଇକୋର୍ଟ ଅଗଷ୍ଟ ୨୦୨୩ରେ ପତଞ୍ଜଳି ଆୟୁର୍ବେଦକୁ କର୍ପୁର ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ । ପତଞ୍ଜଳିର କର୍ପୁର ଉତ୍ପାଦ ଏହାର ଟ୍ରେଡ୍ ମାର୍କ ଉଲ୍ଲଂଘନ କରୁଛି ବୋଲି ଦାବି କରି ମଙ୍ଗଲମ୍ ଅର୍ଗାନିକ୍ସ ଗତବର୍ଷ ଏକ ପିଟିସନ୍ ଦାଖଲ କରିଥିଲା । ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ପତଞ୍ଜଳିକୁ କର୍ପୁର ଉତ୍ପାଦ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆବେଦନକାରୀ ଦାବି କରିଛନ୍ତି ଯେ ଅଦାଲତଙ୍କ ରାୟ ପରେ ମଧ୍ୟ ପତଞ୍ଜଳି କର୍ପୁର ଉତ୍ପାଦ ବିକ୍ରି ଜାରି ରଖିଛି । ଜୁଲାଇ ୨ତାରିଖରେ ପତଞ୍ଜଳି ପକ୍ଷରୁ କୋର୍ଟରେ କ୍ଷମା ପ୍ରାର୍ଥନା କରାଯାଇଥିଲା ଏବଂ ସେ କୋର୍ଟଙ୍କ ରାୟକୁ ମାନିବେ ବୋଲି କହିଥିଲେ । ହାଇକୋର୍ଟ କହିଛନ୍ତି ଯେ କ୍ଷମା ପ୍ରାର୍ଥନା ସତ୍ତ୍ୱେ ପତଞ୍ଜଳି କର୍ପୁର ଉତ୍ପାଦ ବିକ୍ରି ଜାରି ରଖିଛି ଏବଂ ତେଣୁ କୋର୍ଟ ପତଞ୍ଜଳି ଉପରେ ୪ କୋଟି ଟଙ୍କା ଜରିମାନା ଲଗାଇଛନ୍ତି । ଏହି ଜରିମାନା ପୈଠ କରିବାକୁ କୋର୍ଟ ପତଞ୍ଜଳିକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ।

Get real time updates directly on you device, subscribe now.