fbpx

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ କୁଆଡ଼େ ଗଲେ ଶେଖ୍ ହସିନା ? କ’ଣ ରହିଛି ପରବର୍ତ୍ତୀ ପ୍ଲାନ୍‌…

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ ଏବଂ ଅରାଜକତା ମଧ୍ୟରେ ହାର ମାନିଲେ ଶେଖ୍ ହସିନା । ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ । ଏହା ପରେ ରାଷ୍ଟ୍ରପତି ମହମ୍ମଦ ଶହବୁଦ୍ଦୀନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏହି ବୈଠକରେ ବିରୋଧି ଦଳଙ୍କ ସହ ବାଂଲାଦେଶର ୩ ସେନା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଇନ୍ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଏହା ସହ କୌଣସି ହିଂସା ଘଟଣା କିମ୍ବା ଲୁଟ୍ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ବାଂଲାଦେଶରେ ସଂସଦ ଭଙ୍ଗ ହେବା ପରେ ନୂଆ ସରକାର ଗଠନ କରି ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଭାରତ ମୁହାଁ ହୋଇଛନ୍ତି । ସେ ଭାରତରେ କେଉଁଠି ଅଛନ୍ତି ? କ’ଣ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଇସ୍ତଫା ଦେବା ପରେ ଶେଖ୍ ହସିନା ଭାରତର ଗାଜିଆବାଦ ସ୍ଥିତ ହିଣ୍ଡନ୍ ଏୟାର ବେସରେ ଓହ୍ଲାଇଥିଲେ । ଏହା ପରେ ବାୟୁସେନା ଏବଂ ସୁରକ୍ଷା ଏଜେନ୍ସିଙ୍କ ନିରାପତ୍ତା ଅଧିନରେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ବର୍ତ୍ତମାନ ସେ ଏୟାରବେସର ସେଫ୍ ହାଉସରେ ଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ବାୟୁସେନାର ଗରୁଡ଼ କମାଣ୍ଡୋ ନିୟୋଜିତ ଅଛନ୍ତି । ତେବେ ଶେଖ୍ ହସିନାଙ୍କ ସହ ତାଙ୍କ ଭଉଣୀ ରେହାନା ମଧ୍ୟ ଅଛନ୍ତି । ତେବେ ଶେଖ୍ ହସିନା ଏୟାରବେସର ସେଫ୍ ହାଉସରେ କେତେ ଦିନ ପର୍ଯ୍ୟନ୍ତ ରହିବେ ଏବଂ ଏହା ପରେ କେଉଁଆଡ଼େ ଯିବେ କିଛି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନି । ଅପରପକ୍ଷେ ଶେଖ୍ ହସିନା ହିଣ୍ଡନ୍ ଏୟାରବେସରୁ ଦିଲ୍ଲୀ ଓ ପରେ ଲଣ୍ଡନ ଯିବା ନେଇ ଚର୍ଚ୍ଚା ହେଉଛି । ଏହା ପରେ ସେ ଫିନଲ୍ୟାଣ୍ଡ୍ କିମ୍ବା ଅନ୍ୟ ଦେଶ ଯିବା ନେଇ ମଧ୍ୟ ସମ୍ଭାବନା ରହିଛି ।

Get real time updates directly on you device, subscribe now.