fbpx

ରୂପା ଦେଇ ସୁନା ପୁଅ ସାଜିଲେ ନୀରଜ, ଭାରତକୁ ଅଲିମ୍ପିକ୍ସରେ ନୀରଜଙ୍କ ଦ୍ୱିତୀୟ ପଦକ ଭେଟି, ରେକର୍ଡ ଥ୍ରୋ ସହ ଅର୍ସଦ ନଦୀମ ପାଇଲେ ସ୍ୱର୍ଣ୍ଣ

ଓଡିଶା ଭାସ୍କର: ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଏକମାତ୍ର ରଜତ ପଦକ ଭେଟି ଦେଇଛନ୍ତି । ନୀରଜ ପ୍ରାୟ ୮୯.୪୯ ମିଟରର ଜାଭଲିନ ଫିଙ୍ଗି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ସମାନ ଦିନ ହକି ଦଳ ବି ଲଗାତାର ଭାବରେ କାଂସ୍ୟ ପଦକ ମଧ୍ୟ ଜିତିଛି । ଫଳରେ ସାରା ଭାରତ ଉଭୟ ପଦକ ପାଇ ଏବେ ବେଶ୍ ଗର୍ବିତ ।

ନୀରଜ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାର ପ୍ରଥମ ଭାରତୀୟ ହୋଇଛନ୍ତି । ଏହି ସ୍ପର୍ଦ୍ଧାରେ ପାକିସ୍ତାନର ଅର୍ସଦ ନଦୀମ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିବା ସହ ଅଲିମ୍ପିକ୍ସ ରେକର୍ଡ ମଧ୍ୟ କରିଛନ୍ତି । ୧୯୯୨ ପରେ ଅର୍ସଦ ପାକିସ୍ତାନକୁ ପ୍ରଥମ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି । ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ୟକ୍ତିଗତ ଭାବରେ ଦୁଇଟି ପଦକ ଜିତିଥିବା ଭାରତୀୟମାନଙ୍କ ସହ ମଧ୍ୟ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସ୍ୱାଧୀନ ଭାରତରେ ବ୍ୟାଟମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ ( ୧ ରଜତ ଓ ୧ କାଂସ୍ୟ), କୁସ୍ତିଯୋଦ୍ଧା ସୁଶିଲ କୁମାର ( ଏକ ରଜତ, ଏକ କାଂସ୍ୟ) ସୁଟର ମନୁ ଭାକର ( ୨ କାଂସ୍ୟ) ଅଲିମ୍ପିକ୍ସରେ ଦୁଇଟି ଲେଖାଏଁ ପଦକ ଜିତିଛନ୍ତି ।

ଗତକାଲିର ଜାଭଲିନ ଥ୍ରୋରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ରାଉଣ୍ଡ ବଢିବା ସହ ପ୍ରତିସ୍ପର୍ଦ୍ଧା ମଧ୍ୟ ଜୋରସୋର ହେବାରେ ଲାଗିଥିଲା । ପ୍ରାୟ ସବୁ ଜାଭେଲର ସୁନ୍ଦର ଖେଳୁଥିଲେ । ଶେଷରେ ପାକିସ୍ତାନର ଅର୍ସଦ ନଦୀମ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ରେକର୍ଡ କରି ସମସ୍ତଙ୍କୁ ଚକିତ କରିଥିଲେ । ନୀରଜ ମଧ୍ୟ ସିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ହେଲେ ସେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇ ନଥିଲେ । ସେହିଭଳି ଗ୍ରେନେଡାର ଏ.ପିଟରସଙ୍କୁ କାଂସ୍ୟ ପଦକ ମିଳିଥିଲା ।

Get real time updates directly on you device, subscribe now.