fbpx

ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍: ଦୀର୍ଘ ୧୭ ମାସ ପରେ ଜେଲରୁ ବାହାରକୁ ଆସିବେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଏହି ମାମଲାରେ ସବୋର୍ଚ୍ଚ ଅଦାଲତ ମନୀଷଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ମନୀଷ ଦୀର୍ଘ ୧୭ ମାସ ପରେ ଜେଲରୁ ବାହାରକୁ ଆସିବେ । ଏହି ମାମଲାକୁ ଗତ ଅଗଷ୍ଟ ୬ରେ ଜଷ୍ଟିସ ବିଆର ଗବଈ ଓ ଜଷ୍ଟି କେ.ଭି ବିଶ୍ୱନାଥଙ୍କ ପୀଠ ସୁରକ୍ଷିତ ରଖିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମନୀଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ସିସୋଦିଆଙ୍କ ଜାମିନ ଯାଚିକାକୁ ଖାରଜ କରିଦେଇଥିଲେ ।

ଜାମିନ ପ୍ରଦାନ କରିବା ଅବସରରେ ସୁପ୍ରିମକୋର୍ଟ ମନୀଷଙ୍କୁ କହିଥିଲେ, ଏହି ମାମଲାରେ ହାଇକୋର୍ଟ ଓ ଟ୍ରାଏଲ କୋର୍ଟ ସୁରକ୍ଷିତ ଖେଳୁଛନ୍ତି । ସଜ୍ଜା ଆଧାରରେ ଜାମିନକୁ ଅଗ୍ରାହ୍ୟ କରିହେବ ନାହିଁ । ଜାମିନ ପାଇଁ ଏକ ନିୟମ ରହିଛି ଓ ଜେଲ ଏକ ଅପବାଦ ବୋଲି ବୁଝିବାକୁ ଏବେ ଅଦାଲତ ପାଇଁ ସମୟ ଆସିଯାଇଛି । ଅନ୍ୟପକ୍ଷରେ ସିସୋଦିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ ନେଇ ରୋକ ଲଗାଇବାକୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ବେଞ୍ଚ ଏହାକୁ ଅନୁମତି ଦେଇନଥିଲେ । ୩ଟି ସର୍ତ୍ତ ଆଧାରରେ ଅଦାଲତ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପ୍ରଥମତଃ, ତାଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ ଭରିବାକୁ ପଡ଼ିବ । ଦ୍ୱିତୀୟତଃ, ଦୁଇଜଣ ଜାମିନଦାର ହାଜର ହେବେ । ତୃତୀୟତଃ, ତାଙ୍କୁ ନିଜର ପାସପୋର୍ଟ ସରେଣ୍ଡର କରିବାକୁ ପଡ଼ିବ ।

Get real time updates directly on you device, subscribe now.