fbpx

ମୋଦୀଙ୍କ ନିମନ୍ତ୍ରଣ, ଲାଲକିଲାକୁ ଆସିବେ ଏହି ଅତିଥି: ସ୍ୱାଧୀନତା ଦିବସରେ ମିଳିଲା ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀର ଲାଲକିଲାରେ ଅନୁଷ୍ଠିତ ହେବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପତାକା ଉତ୍ତୋଳନ କରିବେ । ତେବେ ଏହି ଅବସରରେ ସେ କିଛି ବିଶେଷ ଅତିଥିଙ୍କୁ ଲାଲକିଲା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ୭୮ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଦେଶର ମୋଟ ୪୦୦ ଜଣ ମହିଳା ଲାଲକିଲାରେ ଅତିଥି ଭାବରେ ସାମିଲ ହେବେ । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଏମାନଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅଧିକାରୀମାନଙ୍କ ଅନୁସାରେ, ପ୍ରାୟ ୪୦୦ ଜଣ ମହିଳାଙ୍କୁ ସ୍ୱତନ୍ତ୍ରତା ଦିବସ ସମାରୋହରେ ସାମିଲ ହେବାପାଇଁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ତାଲିକାରେ ପ୍ରାୟ ୪୫ ଜଣ ‘ଲକ୍ଷପତି ଦିଦି’ ଏବଂ ୩୦ ଜଣ ‘ଡ୍ରୋନ ଦିଦି’ଙ୍କୁ ବିଶେଷ ଅତିଥି ଭାବରେ ଆମନ୍ତ୍ରଣ କରାଯାଇଛି । ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ସେମାନଙ୍କୁ ସମ୍ମାନିତ ମଧ୍ୟ କରିବେ । ଏହାବ୍ୟତୀତ ପଞ୍ଚାୟତର ମହିଳା ପ୍ରତିନିଧି ମାନଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଲଲନ୍ ସିଂହ ସମ୍ମାନିତ କରିବେ ବୋଲି ଜାଣିବାକୁ ମିଳିଛି । ଏହି ମହିଳାମାନଙ୍କ ପାଇଁ ବୁଧବାର ଏକ ରାଷ୍ଟ୍ରୀୟ କାର୍ଯ୍ୟଶାଳା ମଧ୍ୟ ଆୟୋଜନ କରାଯାଇଛି । ଏଠାରେ ପୂଡୁଚେରୀର ପୂର୍ବ ଉପରାଜ୍ୟପାଳ ତଥା ନବଜ୍ୟୋତି ଇଣ୍ଡିଆ ଫାଉଣ୍ଡେସନ୍ର ସଂସ୍ଥାପକ କିରଣ ବେଦୀ ଏବଂ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସମ୍ବୋଧିତ କରିବେ ।

ଡ୍ରୋନ୍ ଦିଦି ଏବଂ ଲକ୍ଷପତି ଦିଦି ଇତ୍ୟାଦି ଯୋଜନା ଗ୍ରାମାଞ୍ଚଳରେ ମହିଳାମାନଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ସହ ଜଡ଼ିତ ମୋଦୀ ସରକାରଙ୍କର ପ୍ରମୁଖ ଯୋଜନାରେ ସାମିଲ ରହିଛି । ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ଚଳିତବର୍ଷ ୭୮ ତମ ସ୍ୱାଧୀନତା ଦିବସର ଥିମ୍ ମଧ୍ୟ ‘ବିକଶିତ ଭାରତ’ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶ ତଥା ରାଜ୍ୟଗୁଡ଼ିକରେ ବିଭିନ୍ନ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.