fbpx

Team Indiaର ବୋଲିଂ କୋଚ୍ ହେବେ ଏହି ଖେଳାଳି: ଗମ୍ଭୀରଙ୍କ ଜିଦି ମାନିଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ମିଳିବା ପରେ ବଦଳି ଯାଇଛି ଦଳର ରୂପରେଖ । ଗମ୍ଭୀରଙ୍କ ଜିଦିକୁ ମାନିବାକୁ ବାଧ୍ୟ ହୋଇଛି ଭାରତୀୟ କ୍ରିକେଟ ବୋର୍ଡ । ଅଭିଷେକ ନାୟର ଏବଂ ରିୟାନ୍ ଟେନ୍ ଡେସକୋଟେଙ୍କ ପରେ ଆଉ ଜଣେ ସାଥୀଙ୍କୁ ଦଳରେ ସାମିଲ କରିବେ ଗୌତମ ଗମ୍ଭୀର । ଭାରତୀୟ ଦଳରେ ନୂଆ ବୋଲିଂ କୋଚ୍ ଭାବରେ ସାମିଲ ହେବାକୁ ଯାଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ଣ୍ଣ ମୋର୍କେଲ । ଲକ୍ଷ୍ନୌ ସୁପର ଜିଆଣ୍ଟସରେ ଗମ୍ଭୀରଙ୍କ ସହ ଦାୟିତ୍ୱ ତୁଲାଇବା ପରେ ମୋର୍କେଲ ଏବେ ଟିମ ଇଣ୍ଡିଆ ପାଇଁ ବୋଲିଂ କୋଚ୍ ଭାବରେ ନିଯୁକ୍ତି ପାଇବେ ।

ସୂଚନା ଅନୁସାରେ, ଆସନ୍ତା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ଭାରତର ବୋଲିଂ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ମୋର୍ଣ୍ଣ ମୋର୍କେଲ । ସେପ୍ଟେମ୍ବର ୧ ତାରିଖରୁ ମୋର୍କେଲ ଏହି ଦାୟିତ୍ୱରେ ଯୋଗ ଦେବେ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ପ୍ରକାଶ କରିଛନ୍ତି । ଏହାପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୧୯ ସେପ୍ଟେମ୍ବରରୁ ସେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ । ଶ୍ରୀଲଙ୍କା ଗସ୍ତରେ ମଧ୍ୟ ସେ ଭାରତୀୟ ଦଳ ସହିତ ସାମିଲ ହୋଇଥାନ୍ତେ, କିନ୍ତୁ ପୂର୍ବରୁ ଏକ ଟି-୨୦ ଲିଗର ଦାୟିତ୍ୱଭାର ରହିଥିବାରୁ ମୋର୍କେଲ ବିସିସିଆଇକୁ ସମୟ ମାଗିଥିଲେ । ତେଣୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସାଇରାଜ ବହୁତୁଲେଙ୍କୁ ବୋଲିଂ ଦାୟିତ୍ୱରେ ଶ୍ରୀଲଙ୍କା ଗସ୍ତରେ ପଠାଇଥିଲା ।

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ପରେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଭୂମିକାରେ ଦାୟିତ୍ୱ ନେଇଛନ୍ତି ଗୌତମ ଗମ୍ଭୀର । ଏହାସହିତ ଟିମ ଇଣ୍ଡିଆର ସମ୍ପୂର୍ଣ୍ଣ କୋଚିଂ ଷ୍ଟାଫ୍ ମଧ୍ୟ ପରିବର୍ତ୍ତନ ହୋଇଛି । ତେବେ ଦ୍ରାବିଡଙ୍କ କାର୍ଯ୍ୟକାଳ ସମୟରେ ଫିଲ୍ଡିଂ କୋଚ୍ ଦାୟିତ୍ୱରେ ଥିବା ଟି. ଦିଲ୍ଲୀପଙ୍କୁ କେବଳ ନିଜ ଦଳରେ ସାମିଲ କରିଛନ୍ତି ଗମ୍ଭୀର । ଏହାପରେ ଗମ୍ଭୀର ନିଜର ୩ ଜଣ ଘନିଷ୍ଠ ବନ୍ଧୁଙ୍କୁ ଭାରତୀୟ ଦଳର କୋଚ୍ ଦାୟିତ୍ୱରେ ନିଯୁକ୍ତି ଦେଇଛନ୍ତି । ଆସିଷ୍ଟାଣ୍ଟ କୋଚ୍ ଭାବରେ ଅଭିଷେକ ନାୟରଙ୍କ ସହ ରିୟାନ୍ ଟେନ୍ ଡେସକୋଟେଙ୍କୁ ନିଯୁକ୍ତି ମିଳିଥିବା ବେଳେ ବୋଲିଂ କୋଚ୍ ଦାୟିତ୍ୱ ଗ୍ରହଣ କରିବେ ମୋର୍ଣ୍ଣ ମୋର୍କେଲ । ତେବେ ଆସନ୍ତା ବାଂଲାଦେଶ ବିପକ୍ଷ ସିରିଜରୁ ନୂଆ କୋଚିଂ ଷ୍ଟାଫଙ୍କ ସହ ଟିମ ଇଣ୍ଡିଆର ନୂଆ ଯାତ୍ରା ଆରମ୍ଭ ହେବ ।

Get real time updates directly on you device, subscribe now.