fbpx

Video; ଗାଳୁଛି ଅନର୍ଗଳ ବର୍ଷା… ଭୋର୍ ସମୟରେ ଓଦା ସର ସର ହୋଇ ସିଂହଦ୍ୱାର ଆଗରେ କାହିଁକି ଶୋଇ ରହିଛନ୍ତି ଏହି ମହିଳା?

ପୁରୀ: (ଓଡ଼ିଶା ଭାସ୍କର) ଗାଳୁଛି ଢୁ ଢୁ ବର୍ଷା । ବଡଦାଣ୍ଡରେ କିଏ ଏହି ମହିଳା? ସିଂହଦ୍ୱାର ଆଗରେ ଲମ୍ବ ହୋଇ ଶୋଇଛନ୍ତି । ଏତେ ବର୍ଷାରେ ଏମିତି କାହିଁକି କରୁଛନ୍ତି? ଚକ୍ ଚକ୍ ବିଜୁଳି ସାଙ୍ଗକୁ ଘଡଘଡିରେ କାନ ଫାଟିଯାଉଛି । ଆଉ ଆକାଶରୁ ଗାଳୁଛି ଅନର୍ଗଳ ବର୍ଷା । ପାଖରେ କେହି ଜଣେ ହେଲେ ବି ଦିଶୁନାହାଁନ୍ତି । ପ୍ରବଳ ବର୍ଷାରେ ଲୋକେ ବାହାରକୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ହେଲେ ଏହି ଢୁ ଢୁ ବର୍ଷାରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ଅରୁଣ ସ୍ତମ୍ଭ ପାଖରେ ଲମ୍ବ ହୋଇ ଶୋଇ ରହିଛନ୍ତି ମହିଳା ଜଣକ । ଏ ଦୃଶ୍ୟ ଦେଖି ବିଚଳିତ ଲାଗିବା ସ୍ୱାଭାବିକ । ହେଲେ କିଛି ସମୟ ତାଙ୍କୁ ଲକ୍ଷ୍ୟ କଲା ପରେ ଜଣାପଡିଲା କି ସେ ଶୋଇନାହାଁନ୍ତି । ବରଂ ଦଣ୍ଡ ପ୍ରଣାମ କରି କରି ମହାପ୍ରଭୁଙ୍କ ପାଖକୁ ଆସୁଛନ୍ତି ।

ଭୂମି ଉପରେ ଲମ୍ବ ହୋଇ ଶୋଇ ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି । ଆଉ ପୁଣି ଥରେ ଉଠି ଟିକେ ଆଗକୁ ଯାଇ ପୁଣି ସମାନ ଢଙ୍ଗରେ ଶୋଇ ପ୍ରଣାମ କରୁଛନ୍ତି । ଦେଖିଲେ ଲାଗୁଛି ସେ କିଛି ଦୂରରୁ ଏଭଳି ଦଣ୍ଡ ପ୍ରଣାମ କରି କରି ଆସିଛନ୍ତି । ଆଉ ଭଲ କରି ଲକ୍ଷ୍ୟ କଲେ ଜଣାପଡୁଛି କି ବର୍ଷାରେ କେବଳ ଦେହ ତାଙ୍କର ଭିଜିନାହିଁ, ବରଂ ଆଖି ତାଙ୍କର ଲୁହରେ ଭିଜିଯାଇଛି । ମହାପ୍ରଭୁଙ୍କ ଆଡକୁ ଚାହିଁ ସେ ଅନବରତ କାନ୍ଦି ଚାଲିଛନ୍ତି । ଦେହରେ ତାଙ୍କର ବଳ ନଥିବା ପରି ଲାଗୁଛି । ହେଲେ କେଉଁ ଏକ ଅଜଣା ଦୁଃଖ ତାଙ୍କୁ ହୁଏତ ଭାଙ୍ଗିଦେଇଛି । ଯେଉଁଥି ପାଇଁ ଏ ଅନର୍ଗଳ ବର୍ଷାରେ ବି ସେ କୋଟି ଓଡିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଟାଣି ହୋଇ ଆସିଛନ୍ତି । ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ଦଣ୍ଡ ପ୍ରଣାମ କରୁଛନ୍ତି ।

କାନ୍ଦି କାନ୍ଦି ଭୂମି ଉପରେ ଶୋଇ ଶୋଇ ଆଗେଇ ଯାଉଛନ୍ତି ମହାପ୍ରଭୁଙ୍କ ଆଡକୁ । ମହିଳାଙ୍କୁ ଦେଖିଲେ ଲୁହ, କୋହ ଆଉ ଭକ୍ତିଭାବର ଏକ ମିଶ୍ରିତ ଅନୁଭବ ସ୍ପଷ୍ଟ ବାରିହେଉଛି । ବଡି ଭୋରରୁ ପ୍ରବଳ ବର୍ଷା ହେଉଥିବା ବେଳେ ମହିଳା ଭକ୍ତ ଜଣକ ନିଜର ଦୁଃଖ ଜଣାଇବା ପାଇଁ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ତାଙ୍କର ଭକ୍ତି ଆଗରେ ହାର ମାନିଛି ଏ ପ୍ରଚଣ୍ଡ ବର୍ଷା । ମହାପ୍ରଭୁଙ୍କ ଆଡକୁ ଲୁହ ଭରା ଆଖିରେ ଚାହିଁ ଦୁଃଖ ଜଣାଉଛନ୍ତି ମହିଳା ଭକ୍ତ ଜଣକ । ପ୍ରବଳ ବର୍ଷାରେ ଅନ୍ୟମାନେ ବାହାରକୁ ବାହାରୁନଥିବା ବେଳେ ମହିଳା ଜଣକ ବର୍ଷାରେ ଭିଜି ଭିଜି ସିଂହଦ୍ୱାର ପାଖରେ ପହଞ୍ଚିବା ପରେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ସିଂହଦ୍ୱାର ପାଖରେ ଉପସ୍ଥିତ ସେବାୟତମାନେ ବି ଚକିତ ହୋଇଯାଇଛନ୍ତି ।

Get real time updates directly on you device, subscribe now.