fbpx

OSSSC ପକ୍ଷରୁ ବଡ଼ ଅପଡେଟ୍: RI, ARI, ଅମିନ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କର ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର (ଏସଏଫଏସ) ଆଦି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା – ୨୦୨୩ (ଆଇଭି)ର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (ସିବିଆରଇ) ମୋଡ଼ରେ ପ୍ରିଲିମ୍ସ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୦ରୁ ପରୀକ୍ଷା ଆରମ୍ଭ ହୋଇ ତାହା ଅକ୍ଟୋବର ୨୦ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ମୋଟ ୨୮୯୫ଟି ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର (ଏସଏଫଏସ) ପଦ ପୂରଣ ପାଇଁ ଗତବର୍ଷ ଡିସେମ୍ବର ମାସରେ ଓଏସଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡିସେମ୍ବର ୩୦ ତାରିଖରୁ ଏନେଇ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା କେବେ ହେବ ସେନେଇ ପ୍ରାର୍ଥୀମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ ।

Get real time updates directly on you device, subscribe now.