fbpx

Para Olympics-2024; ମନୀଷାଙ୍କୁ ହରାଇ ଫାଇନାଲରେ ପହଞ୍ଚିଲେ ତୁଳସୀମତି: ସ୍ୱର୍ଣ୍ଣ ପଦକ ପାଇଁ ହେବ ଲଢେଇ

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ର ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ ଫାଇନାଲକୁ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ଶଟଲର୍ ତୁଳସୀମତି ମୁରୁଗେସନ୍ । ଭାରତର ଅନ୍ୟତମ ବ୍ୟାଡମିଣ୍ଟନ୍ ଖେଳାଳି ମନୀଷା ରାମଦାସଙ୍କୁ ସେମି ଫାଇନାଲରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି ତୁଳସୀମତି । ଆଜି ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ଏସୟୁ୫ ସେମି ଫାଇନାଲ ମ୍ୟାଚରେ ତୁଳସୀମତି ମନୀଷା ରାମଦାସଙ୍କୁ ସେ ଚକମା ଦେଇଛନ୍ତି । ତେବେ କଡ଼ା ଟକ୍କର ଦେବା ପରେ ମଧ୍ୟ ନିରାଶ ହୋଇ ଫେରିଛନ୍ତି ମନୀଷା ।

ତୁଳସୀମତି ମାତ୍ର ୪୦ ମିିନଟରୁ କମ୍ ସମୟରେ ୨୩-୨୧ ଏବଂ ୨୧-୧୭ ସ୍କୋର କରି ମନୀଷାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ବିଜୟ ସହ ଭାରତକୁ ଅଷ୍ଟମ ପଦକ ହାସଲ ହୋଇଛି । ମନୀଷା ଏବଂ ତୁଳସୀମତିଙ୍କ ମଧ୍ୟରେ ଏହି ପ୍ରଥମ ଗେମ୍ ଖୁବ ରୋମାଞ୍ଚକର ହୋଇଛି । ଭାରତର ଉଭୟ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ । ଅନେକ ଗେମ୍ ପଏଣ୍ଟ ରକ୍ଷା କରିବା ପରେ ମଧ୍ୟ ମନୀଷା ଏହାର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି । ଫଳରେ ପ୍ରଥମ ଗେମରେ ତୁଳସୀମତି ୨୩-୨୧ରେ ବିଜୟ ହାସଲ କରିଥିଲେ । ଏହାପରେ ଦ୍ୱିତୀୟ ଗେମରେ ମନୀଷା ୧୧-୧୦ରେ ଆଗୁଆ ରହିଥିଲେ । ଏହାପରେ ଦମଦାର କମବ୍ୟାକ କରି ମ୍ୟାଚ୍ ଉପରେ କବଜା କରିଛନ୍ତି ତୁଳସୀମତି । ଏହି ଗେମକୁ ୨୧-୧୭ରେ ନିଜ ନାମରେ କରିବାରେ ସେ ସଫଳ ହେବା ସହ ଫାଇନାଲରେ ପହଞ୍ଚିଛନ୍ତି ।

ବ୍ୟାଡମିଣ୍ଟନର ଏହି ଫାଇନାଲ ମ୍ୟାଚରେ ଭାରତର ତୁଳସୀମତି ମୁରୁଗେସନ୍ ଏବଂ ଟୋକ୍ୟୋ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ଚୀନର ୟାଙ୍ଗ କିଉ ଜିୟା ମୁହାଁମୁହିଁ ହେବେ । ତେବେ ସ୍ୱର୍ଣ୍ଣ ପଦକ ପାଇଁ ଉଭୟ ଖେଳାଳିଙ୍କ ମଧ୍ୟରେ ଦମଦାର ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ କାଂସ୍ୟ ପଦକ ପାଇଁ ମନୀଷା ରାମଦାସ ଡେନମାର୍କର କ୍ୟାଥରିନ୍ ରୋସେନଗ୍ରେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

Get real time updates directly on you device, subscribe now.