fbpx

ନିର୍ବାଚନ ଆସିବା କ୍ଷଣି ପିଡିପି- ଏନସି ମୁହାଁମୁହିଁ, ଏନସିକୁ ଡିକ୍ଟେଟର କହିଲେ ମେହବୁବା

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନାସନାଲ କଂଗ୍ରେସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମିଳିତ ହୋଇଥିଲେ । ଉଭୟ ଦଳର ନେତା ପୂର୍ବ ଶତ୍ରୁତା ଭୁଲି କେନ୍ଦ୍ର ତଥା ବିଜେପି ବିରୋଧରେ ସ୍ୱର ଉଠାଇଥିଲେ । ଜମ୍ମୁ କାଶ୍ମୀରର ସ୍ୱାର୍ଥ ପାଇଁ ଏକ ହୋଇଥିବା କହିଥିଲେ । କିନ୍ତୁ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଆସିଲା ବେଳକୁ ସେହି ଭାଇଚାରା ହଜିଯାଇଛି । ପିଡିପି ମୁଖିଆ ଏନସିକୁ ଏକଛତ୍ରବାଦୀ ଦଳର ଆଖ୍ୟା ଦେଇଛନ୍ତି ।

ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର କହିଛନ୍ତି କି, ଜମ୍ମୁ କାଶ୍ମୀର ଜନତା ଜାଣିଛନ୍ତି କି ପିଡିପି ସ୍ଥାପନ ହୋଇ ନ ଥିଲେ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ହୋଇପାରି ନ ଥାନ୍ତା । ସମସ୍ତ ବିଶ୍ୱ ବିଦ୍ୟାଳୟ, କଲେଜ, ଏମ୍ସ ପିଡିପି ସରକାର କରିଛି । ଯଦି ପିଡିପିର ଗଠନ ହୋଇନଥାନ୍ତା ଏନସି ଜମ୍ମୁ କାଶ୍ମୀରରେ ଏକଛତ୍ରବାଦୀ ରାଜ ଚଳାଇଥାନ୍ତା । ଲୋକଙ୍କ ମଧ୍ୟରେ ନାସନାଲ କଂଗ୍ରେସକୁ ନେଇ ଘୋର ଆକ୍ରୋଶ, ରାଗ ରହିଛି ।

ଏନସି ବିରୋଧରେ ମେହବୁବାଙ୍କ ଏହି ବୟାନ ନିର୍ବାଚନ ପୂର୍ବରୁ ଆସିଛି । ଧାରା ୩୭୦ ଉଚ୍ଛେଦ ପରଠାରୁ ଏକ ସ୍ୱର ହୋଇ ଉଭାହୋଇଥିବା ଦୁଇ ଦଳ ଜମ୍ମୁ କାଶ୍ମୀରରେ ନିର୍ବାଚନ ଆସିବା ବେଳକୁ ଦୁଇ ମୁହାଁ । କ୍ଷମତା ଆଗରେ ରାଜ୍ୟ ସ୍ୱାର୍ଥ ଫିକା ପଡିବା ପରି ମେହବୁବାଙ୍କ ବୟାନ ସ୍ପଷ୍ଟ କରୁଛି ।

ଏଠାରେ କହି ରଖୁଛୁ କି, ଜମ୍ମୁ କାଶ୍ମୀରର ୯୦ ଆସନ ପାଇଁ ନିର୍ବାଚନ ତିନୋଟି ପର୍ଯ୍ୟାୟରେ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ, ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ଓ ଅକ୍ଟୋବର ୧ରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏଥିରେ ୮୮.୦୬ ଲକ୍ଷ ମତଦାତା ମତଦାନ କରିବେ । ଧାରା ୩୭୦ ହଟିବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ । ଏହା ପୂର୍ବରୁ ହୋଇଥିବା ନିର୍ବାଚନରେ ପିଡିପି ୨୮ ଆସନ ହାତେଇଥିବା ବେଳେ ବିଜେପି ୨୫, ଜମ୍ମୁ କାଶ୍ମୀର ନାସନାଲ କଂଗ୍ରେସ ୧୫ ଓ କଂଗ୍ରେସ ୧୨ ଆସନରେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.