fbpx

IND vs BAN; ବୁମରାହଙ୍କୁ କାହିଁକି ମିଳିଲାନି ଉପ-ଅଧିନାୟକ ପଦ? ଗମ୍ଭୀର କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିସାରିଛି । ଏହି ମ୍ୟାଚରେ ଋଷଭ ପନ୍ତ ଦୀର୍ଘ ଦିନ ପରେ ଦଳକୁ କମବ୍ୟାକ କରୁଥିବା ବେଳେ ୟଶ ଦୟାଲଙ୍କ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି । ସେହିପରି ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କ ସହ ଆକାଶ ଦୀପ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଦଳରେ ଉପ-ଅଧିନାୟକ ସ୍ଥାନ କାଲି ରହିଛି । ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦଳରେ ସୁଯୋଗ ପାଇଥିଲେ ମଧ୍ୟ ତାଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆ ଯାଇନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ତେବେ ରୋହିତ ଦଳର ନେତୃତ୍ୱ ନେବା ଦିନରୁ ଅଧିକାଂଶ ମ୍ୟାଚରେ ବୁମରାହଙ୍କୁ ଦଳର ଉପ-ଅଧିନାୟକ ଭାବରେ ସାମିଲ କରାଯାଇଛି । କିନ୍ତୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଦଳରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ତେବେ ଏହି ଦାୟିତ୍ୱ ଅନ୍ୟ କୌଣସି ଖେଳାଳିଙ୍କୁ ମଧ୍ୟ ପ୍ରଦାନ କରାଯାଇ ନାହିଁ । ଏହି ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ବୁମରାହଙ୍କୁ ଏହି ପଦରୁ ବାଦ୍ ଦିଆଯାଇଛି ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି ଯେ, ଟେଷ୍ଟ ଟିମ ପାଇଁ ଜଣେ ଯୁବ ଖେଳାଳିଙ୍କୁ ଦଳର ଉପ-ଅଧିନାୟକ ପଦ ଭାବରେ ଘୋଷଣା କରାଯାଇପାରେ । ଏହି ତାଲିକାରେ ଋଷଭ ପନ୍ତ, କେ.ଏଲ ରାହୁଲ ଏବଂ ଶୁଭମନ ଗିଲ୍ ସାମିଲ ରହିଛନ୍ତି ।

ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ପାଇବା ପରେ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଶେଷ କରି ଟି-୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ଦେବା ସହ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହାପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ବୋଲି ଘୋଷଣା କରାଯାଇଥିଲା । ତେଣୁ ବର୍ତ୍ତମାନ ଟେଷ୍ଟ ଦଳରେ ମଧ୍ୟ ଗମ୍ଭୀର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ୟଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେ.ଏଲ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ, ଜଶପ୍ରୀତ ବୁମରାହ ଏବଂ ୟଶ ଦୟାଲ ।

Get real time updates directly on you device, subscribe now.