fbpx

କେଜରିୱାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମ କୋର୍ଟ ଅରବିନ୍ଦଙ୍କୁ ଦେଇଛନ୍ତି ଜାମିନ । କିନ୍ତୁ ଏହି ଜାମିନ ସର୍ତ୍ତମୂଳକ ରହିଛି । ଜଷ୍ଟିସ ଉଜ୍ଜଳ ଭୂୟାଁ ଓ ଜଷ୍ଟିସ ସୂର୍ଯ୍ୟକାନ୍ତିଙ୍କ ଖଣ୍ଡପୀଠ କେଜରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

କୋର୍ଟ ସର୍ତ୍ତ ରଖିଛନ୍ତି କି ସେ ମାମଲା ଉପରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ । ଏଥିସହ ତଦନ୍ତକୁ ପ୍ରଭାବିତ କରିବେ ନାହିଁ । ତଦନ୍ତରେ ସହଯୋଗ କରିବା ସହ ଯେତେବେଳେ ଦରକାର ହେବ ଟ୍ରାଏଲ କୋର୍ଟରେ ହାଜର ହେବେ । ମୁଖ୍ୟମନ୍ତ୍ରୀ ଅଫିସକୁ ଯିବେ ନାହିଁ କି କୌଣସି ଦସ୍ତାବିଜରେ ଦସ୍ତଖତ କରିବେ ନାହିଁ ବୋଲି କହିଛନ୍ତି କୋର୍ଟ ।

ତେବେ ସିବିଆଇ ଗିରଫଦାରୀକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ଥିଲା ଭିନ୍ନମତ । ଜଷ୍ଟିସ ସୂର୍ଯ୍ୟକାନ୍ତ କେଜରିୱାଲଙ୍କ ଗିରଫଦାରୀକୁ ଆଇନ ସଂଗତ କହିଥିବା ବେଳେ, ଜଷ୍ଟିସ ଉଜ୍ଜଳ ଏଥିରେ ଅସହମତି ପ୍ରକାଶ କରିଥିଲେ । ଜୁନ 26ରେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଥିଲା । ଇଡି ମନି ଲଣ୍ଡରିଂ ମାମଲାରେ  କେଜରିୱାଲଙ୍କୁ ପ୍ଜଥମେ ଗିରଫ କରିଥିଲା, ଏଥିରେ ଜାମିନ ମିଳିବା ଦିନ ହିଁ ତିହାର ଜେଲରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।

ମାମଲାରେ ସେପ୍ଟେମ୍ବର ୫ରେ ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ସିବିଆଇର ଗିରଫଦାରୀ ଉପରେ ଦୁଇ ବିଚାରପତିଙ୍କ ଭିନ୍ନ ମତ ଥିଲା । ତେବେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ମଦ ଘୋଟାଲାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

Get real time updates directly on you device, subscribe now.