fbpx

ମୋହନ ମାଝୀ ସରକାରଙ୍କୁ ୧୦୦ ଦିନ ପୂର୍ତ୍ତି, ବିଜେପି ପକ୍ଷରୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପୁରୀ: ମୋହନ ମାଝୀ ସରକାରଙ୍କୁ ୧୦୦ ଦିନ ପୂର୍ତ୍ତି। ଏନେଇ ବିଜେପି ପକ୍ଷରୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ରହିଛି। ସେ କହିଛନ୍ତି ଯେ, ଆମର ଏହା ୧୦୦ ଦିନର ବିକାଶ ମେଳା। ବିକାଶ ଯାତ୍ରା ସାମିଲ ଥିବା ସମସ୍ତଙ୍କୁ ଶୁଭେଚ୍ଛା। ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ। ଆମ ସରକାର ଲୋକଙ୍କ ସରକାର। ୨୦୨୪ ନିର୍ବାଚନରେ ମୁଁ ଅନେକ କିଛି ଶିଖାଇଛି। ନିର୍ବାଚନ ପୂର୍ବରୁ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ। ଆମ ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ।

ସେ ଆହୁରି କହିଛନ୍ତି, ‘ବର୍ଷ ବର୍ଷ ଧରି ଲୋକଙ୍କ ଅସୁବିଧା ଶୁଣାଯାଉ ନଥିଲା। ସମସ୍ୟା ଘେରରେ ଲୋକେ ରହୁଥିଲେ। ଅଭିଯୋଗ ଶୁଣାଣି କରି ସମସ୍ୟା ସମାଧାନ କରିଛୁ। ରାଜଧାନୀରେ ଏବେ ଜନଶୁଣାଣି ଚାଲିଛି। ଆଗକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜନଶୁଣାଣି ହେବ। କୌଣସି ଘରୋଇ ସଂସ୍ଥାର ପ୍ରମାଣପତ୍ର ଚାହୁଁନା।’

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି ଯେ, ପୂର୍ବରୁ ଅସ୍ମିତା ଅବହେଳିତ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଛି। ଓଡ଼ିଆ ଭାଷାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ଚାଷୀଙ୍କ ପାଇଁ ସରକାର ଚିନ୍ତିତ। ଆମ ସରକାରରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ମହିଳାଙ୍କୁ ସଶକ୍ତକରଣ କରିବା ଆମ ଲକ୍ଷ୍ୟ। ଘୋଷଣା ଅନୁଯାୟୀ ସୁଭଦ୍ରା ଯୋଜନା ଲାଗୁ ହୋଇଛି।

Get real time updates directly on you device, subscribe now.