fbpx

ଭାରତରେ ବନ୍ଦ ହେବ କି NETFLIX? ବିବାଦରେ ଫସିଲା ଲୋକପ୍ରିୟ OTT ପ୍ଲାଟଫର୍ମ: ଆକ୍ସନ ନେବେ ମୋଦୀ ସରକାର!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ‘ନେଟଫ୍ଲିକ୍ସ’ ଖୁବ ଲୋକପ୍ରିୟତା ହାସଲ କରିଛି । ସମଗ୍ର ଯୁବପିଢୀ ଓଟିଟି ପ୍ଲାଟଫର୍ମ ଆଡ଼କୁ ମୁହାଁଇଥିବା ବେଳେ ନେଟଫ୍ଲିକ୍ସ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ କରାଇ ଦର୍ଶକଙ୍କୁ ନିଜର କରିପାରିଛି । କିନ୍ତୁ ବର୍ତ୍ତମାନ ଏହି କମ୍ପାନୀ ଉପରେ ଆସିଛି ଘୋର ସଂକଟ । ଭାରତରେ ଭିସା ନିୟମର ଉଲ୍ଲଙ୍ଘନ ଏବଂ ଭେଦଭାବକୁ ପ୍ରୋତ୍ସାହନ ଦେଉଥିବା ନେଇ ନେଟଫ୍ଲିକ୍ସ ଉପରେ ଅଭିଯୋଗ ଆସିଛି । ଯାହାକୁ ନେଇ ନେଟଫ୍ଲିକ୍ସ ଉପରେ କଡ଼ା ଆକ୍ସନ ନିଆ ଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ କମ୍ପାନୀର ଏହି ଅଭିଯୋଗ ଉପରେ ଜବାବ ମାଗିଛି ବିଦେଶୀ କ୍ଷେତ୍ରୀୟ ପଞ୍ଜିକରଣ କାର୍ଯ୍ୟାଳୟ(FRRO) ।

ରିପୋର୍ଟ ଅନୁସାରେ, ଜୁଲାଇ ୨୦ ତାରିଖରେ ‘FRRO’ର ଅଧିକାରୀ ଦୀପକ ଯାଦବ ନେଟଫ୍ଲିକ୍ସ କମ୍ପାନୀକୁ ଏକ ଇ-ମେଲ୍ ପଠାଇଥିଲେ । ଏହି ଇମେଲରେ ସେ ଲେଖିଛନ୍ତି ଯେ, ଭାରତରେ ନେଟଫ୍ଲିକ୍ସର ଭିସା ଏବଂ ଟିକସ ନିୟମ ଉଲ୍ଲଂଘନ ହେତୁ ଏହା ଉଦବେଗଜନକ ରହିଛି । ଏହି ଇମେଲ ଭାରତରେ ପୋଷ୍ଟ ହୋଇଥିବା ନେଟଫ୍ଲିକ୍ସର ବ୍ୟବସାୟ ନିର୍ଦ୍ଦେଶକ ନନ୍ଦିନୀ ମେହେଟ୍ଟାଙ୍କୁ ପଠାଯାଇଛି। ତେବେ ନନ୍ଦିନୀ ମେହେଟ୍ଟା ୨୦୨୦ ମସିହାରୁ ଏହି କମ୍ପାନୀରୁ ବିଦାୟ ନେଇ ସାରିଛନ୍ତି ।

ଇ-ମେଲରେ ଦୀପକ ଲେଖିଛନ୍ତି ଯେ, ଭାରତରେ ବ୍ୟବସାୟ କରୁଥିବା ନେଟଫ୍ଲିକ୍ସ କମ୍ପାନୀ ତରଫରୁ ଭିସା ନିୟମର ଉଲ୍ଲଙ୍ଘନ, ଅବୈଧ ଢାଞ୍ଚା, ଟାକ୍ସ ଚୋରି, ଜାତିଗତ ଭେଦଭାବ ସମେତ ଅନେକ ବିଭାଗରେ ସମସ୍ୟା ଥିବା ଆମକୁ ସୂଚନା ମିଳିଛି । ତେଣୁ କମ୍ପାନୀ ଏହା ଉପରେ ସ୍ପଷ୍ଟ ଉତ୍ତର ଦେଉ ବୋଲି ସେ ଦାବି କରିଛନ୍ତି ।

ତେବେ କମ୍ପାନୀ ଛାଡ଼ି ସାରିଥିବା ବିଜନେସ୍ ଡାଇରେକ୍ଟର ନନ୍ଦିନୀ ମେହଟ୍ଟା ଏହାର ଯାଞ୍ଚ କରିବା ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ନନ୍ଦିନୀ କହିଛନ୍ତି ଯେ, ନେଟଫ୍ଲିକ୍ସ ବିପକ୍ଷରେ ଭୁଲ ଉପାୟରେ ସେବା ସମାପ୍ତି ଏବଂ ଜାତିଗତ ବା ଲିଙ୍ଗଗତ ଭେଦଭାବ ପାଇଁ ଆମେରିକାରେ ମୋକଦ୍ଦମା ଜାରି ରହିଛି । ତେଣୁ ଭାରତରେ ମଧ୍ୟ ଯାଞ୍ଚକୁ ସ୍ୱାଗତ କରିବା ସହ କମ୍ପାନୀର ଅଧିକାରୀ ଏହାର ନିଷ୍କର୍ଷକୁ ସାର୍ବଜନିକ ସ୍ତରରେ ରଖିବେ ବୋଲି ନନ୍ଦିନୀ ଆଶା ରଖିଛନ୍ତି । ତେବେ ସରକାରଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ବିଷୟରେ ବିସ୍ତାର ଭାବରେ କହି ନାହାନ୍ତି ନନ୍ଦିନୀ ।

Get real time updates directly on you device, subscribe now.