fbpx

ସର୍ପାଘାତରେ ଯୁବକଙ୍କ ହେଲା ମୃତ୍ୟୁ; କାମୁଡ଼ିଥିବା ଜୀଅନ୍ତା ସାପକୁ ଚିତାରେ ପକାଇ ଜାଳିଲେ ଲୋକ

ରାୟପୁର: ଛତିଶଗଡ଼ର କୋରବା ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ଗ୍ରାମବାସୀ ସାପଟିକୁ ଧରି ଯୁବକଙ୍କ ଚିତାରେ ଜୀବନ୍ତ ଜାଳି ଦେଇଛନ୍ତି। ରବିବାର ଏହି ଘଟଣା ଘଟିବା ପରେ ସାପଟି ଅନ୍ୟ କାହାକୁ କାମୁଡ଼ିଦେବ ବୋଲି ଭୟ କରି ଚିତାରେ ଜୀବନ୍ତ ପୋଡ଼ି ଦେଇଥିବା ଗ୍ରାମବାସୀ କହିଛନ୍ତି। ସାପ କାମୁଡା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀମାନେ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କିଛି ଲୋକ ସାପକୁ ଟାଣି ନେଉଥିବାର ଦେଖିବାକୁ ମିଳିଛି।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଶନିବାର ରାତିରେ ବେଗମାର ଗାଁରେ ଦିଗେଶ୍ୱର ରାଠିଆ ନାମକ ଜଣେ ଯୁବକ ନିଜ ଘରେ ବିଛଣା ସଜାଡ଼ିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲେ। ଦିଗେଶ୍ୱର ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ଦିଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ତେବେ ଏହି ଘଟଣା ପରେ ଗ୍ରାମବାସୀ ସାପଟିକୁ ଉଦ୍ଧାର କରି ଏକ ବାସ୍କେଟରେ ରଖିଥିଲେ। ପରେ ଦଉଡ଼ିରେ ବାନ୍ଧି ବାଡ଼ି ସାହାଯ୍ୟରେ ଟାଙ୍ଗି ଦେଇଥିଲେ। ରାଥିଆଙ୍କ ଶେଷ ଯାତ୍ରାରେ ଶ୍ମଶାନ ଅଭିମୁଖେ ବାହାରିବା ପରେ ଗାଁ ଲୋକେ ସାପଟିକୁ ଶ୍ମଶାନକୁ ଆଣିଥିଲେ। ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରେ ଗ୍ରାମବାସୀ ମାନେ ରାଥିଆଙ୍କ ଚିତାରେ ସାପଟିକୁ ଜୀବନ୍ତ ଜାଳି ଦେଇଥିଲେ।

ଏହି ବିଷାକ୍ତ ସାପ ଅନ୍ୟ କାହାକୁ କାମୁଡ଼ିପାରେ ବୋଲି ସେମାନେ ଆଶଙ୍କା କରୁଥିବାରୁ ସେମାନେ ସାପଟିକୁ ଜୀବନ୍ତ ଜାଳି ଦେଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣା ସମ୍ପର୍କରେ କୋରବା ଉପଖଣ୍ଡ ଅଧିକାରୀ ଆଶିଷ ଖେଲୱାର କହିଛନ୍ତି, ସାପକୁ ଜୀବନ୍ତ ପୋଡ଼ି ଦେବା ଘଟଣାରେ ଗ୍ରାମବାସୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.