fbpx

ହରିୟାଣାରେ ଏଥର କିଏ ଗଢ଼ିବ ସରକାର: ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ବଢ଼ାଇବେ ବିଜେପି ଓ କଂଗ୍ରେସର ଚିନ୍ତା

ନୂଆଦିଲ୍ଳୀ: ଅକ୍ଟୋବର ମାସ ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିବାରୁ ହରିୟାଣାରେ ଏଥର ମଧ୍ୟ ଏହି ଦୁଇ ଦଳ ମଧ୍ୟରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିବ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିକୁ ୪୦ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧ଟି ଓ ଜେଜେପିକୁ ୧୦ଟି ଆସନ ମିଳିଥିଲା । ତେଣୁ ଗତ ଥର ପରି ଏଥର ମଧ୍ୟ କଡ଼ା ଟକ୍କର ଦେବା ସହ ସରକାର ଗଠନ ଲକ୍ଷ୍ୟରେ ରହିଛି ।

ତେବେ ଏଥର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ପଦ୍ମ ଓ ହାତର ଅକଲ ଗୁଡ଼ୁମ୍ କରିପାରନ୍ତି । ବିଭିନ୍ନ ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ଦୁଇ ଦଳ ଏବେ ଚିନ୍ତିତ ରହିଛନ୍ତି । ତେବେ ଜନତା ଜନାର୍ଦ୍ଦଙ୍କ ମୁଡ଼ କ’ଣ ତାହା କହିବା ମୁସ୍କିଲ । ତେଣୁ ଫଳାଫଳ ନ ଆସିବା ପର୍ଯ୍ୟନ୍ତ କିଛି ଆକଳନ କରିବା କଷ୍ଟକର । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ କଂଗ୍ରେସକୁ କ୍ଷମତାସୀନ କରାଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି ।

୨୦୦୯ ନିର୍ବାଚନରେ ମୈଦାନରେ ମୋଟ ୧,୨୨୨ ଜଣ ପ୍ରାର୍ଥୀ ରହିଥିବା ବେଳେ ୨୦୧୪ରେ ତାହା ୧୩୫୧କୁ ବୃଦ୍ଧି ପାଇଥିଲା । ୨୦୧୯ରେ ତାହା ୧୧୬୯କୁ ହ୍ରାସ ପାଇଥିବା ବେଳେ ୨୦୨୪ରେ ୧୦୫୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜଣାପଡ଼ିଛି । ଏହା ମଧ୍ୟରେ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ତାରକା ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବା ବେଳେ ନିର୍ବାଚନୀ ଘୋଷଣାପତ୍ର ମଧ୍ୟ ଜାରି କରି ସାରିଛନ୍ତି । ଦୀର୍ଘ ୧ ଦଶନ୍ଧି ଧରି କ୍ଷମତା ବାହାରେ ରହି ଆସିଥିବା କଂଗ୍ରେସ ଏଥର ଶାସନ ଗାଦି ହାତେଇବାକୁ ଲକ୍ଷ୍ୟ ରଖିଛି ।

ତେବେ ଏଥର ସ୍ୱାଧୀନ ପ୍ରାର୍ଥୀ ଓ ଛୋଟ ଦଳର ପ୍ରାର୍ଥୀମାନେ ବଡ଼ ଦଳର ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିବାର ସମ୍ଭାବନା ରହିଛି । ୨୦୦୯ରେ ସେମାନେ ୩୦ ପ୍ରତିଶତ ଭୋଟ ଶେୟାର ସହିତ ୧୫ଟି ଆସନରେ ଜିତିଥିବା ବେଳେ ୨୦୧୯ରେ ତାହା ୧୮ ପ୍ରତିଶତକୁ ହ୍ରାସ ପାଇ ୮ଟି ଆସନରେ ପହଞ୍ଚି ଥିଲା । ବିଧାନସଭା ଆସନର ପାଖାପାଖି ୫୦ ପ୍ରତିଶତ ଆସନରେ ଏହି ପ୍ରାର୍ଥୀମାନେ ଦବଦବା ଜାହିର କରିଥିଲେ । ସେହିପରି ଆମ୍ ଆଦମୀ ପାର୍ଟି (ଆପ) ଏଥର ରାଜ୍ୟ ରାଜନୀତିରେ ପଦାର୍ପଣ କରିବାକୁ ଯାଉଥିବାରୁ ଏହା ମଧ୍ୟ କଂଗ୍ରେସ ଓ ବିଜେପି ପାଇଁ ବଡ଼ ଚିନ୍ତାର ବିଷୟ । ଦିଲ୍ଲୀ ମଡେଲ ଆଧାରର ଆପ୍ କିଛି ଆସନ ହାତେଇବା ଲକ୍ଷ୍ୟରେ ରହିଛି । ଏହା ମଧ୍ୟରେ ବିଜେପି ଓ କଂଗ୍ରେସରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ଦେଖିବାକୁ ମିଳିଥିବାରୁ ତାହା ମଧ୍ୟ ଦୁଇ ଦଳଙ୍କ ଚିନ୍ତା ବଢ଼ାଇ ଦେଇଛି ।

Get real time updates directly on you device, subscribe now.