fbpx

ବିଏସ୍ଏ ବସ୍ ଟର୍ମିନାଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ଯାତ୍ରୀଙ୍କ ସହ ହେଲେ କଥା

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି। ଯାତ୍ରୀମାନଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ଫୁଲବାଣୀ ଯିବାକୁ ଅପେକ୍ଷା କରିଥିବା ତିନି ଜଣ ଦୃଷ୍ଟିହୀନ ଯୁବତୀଙ୍କୁ ଭେଟିଥିଲେ। ସେ ବ୍ୟକ୍ତିଗତ ଭାବେ ଟିକେଟ୍ କିଣିବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦେବା ଓ ସିଟ୍ ସଂରକ୍ଷଣ କରି ସେମାନଙ୍କ ସୁବିଧା ସୁନିଶ୍ଚିତ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ଟର୍ମିନାଲର ବସ୍ ୱେ, ପରିଚାଳନା ନିୟନ୍ତ୍ରଣ ସୁବିଧା ଏବଂ ପାନୀୟ ଜଳର ସୁବିଧା ଆଦିର ସମୀକ୍ଷା କରିଥିଲେ। ଆହାର କେନ୍ଦ୍ରରେ ପହଞ୍ଚି ମନ୍ତ୍ରୀ ସେଠାକାର ସ୍ୱଚ୍ଛତା ପରଖିଥିଲେ । ଏଥିସହ ସେଠାରେ ‘ମୋ ବସ୍’ ଡ୍ରାଇଭରଙ୍କ ସହ ଆଲୋଚନା କରି, ସେବା ମନୋଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ । ସୁରକ୍ଷା ବ୍ୟବସ୍ଥାର ସମାଧାନ ପାଇଁ ମନ୍ତ୍ରୀ ପୁଲିସ ଫାଣ୍ଡି ପରିଦର୍ଶନ କରିବା ସହ ବିଡିଏକୁ ପାଣି ଲିକ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବସ୍ ଚାଳକଙ୍କ ମଧ୍ୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଘଟଣାକୁ ରୋକିବା ପାଇଁ ବିଡିଏ ଓ ପୁଲିସ ଅଧିକାରୀଙ୍କ ସହଯୋଗରେ ଟର୍ମିନାଲର ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସେ ଅନୁରୋଧ କରିଛନ୍ତି।

ଅନୁଧ୍ୟାନ ପରେ ମନ୍ତ୍ରୀ ବିଡିଏ ଅଧିକାରୀଙ୍କ ସହ ଟର୍ମିନାଲର ରାଜସ୍ୱ ମଡେଲର ସମୀକ୍ଷା କରିବା ସହ ଭିତ୍ତିଭୂମିରେ ଉନ୍ନତି ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉଦ୍ଦେଶ୍ୟରେ ଭବିଷ୍ୟତର ବିକାଶ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ ନୀଳମାଧବ ନିବାସ ପରିଦର୍ଶନ କରିଥିଲେ। ମନ୍ତ୍ରୀ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିବାଥିଲେ । ଏଥିସହ ସେମାନଙ୍କ ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମନ୍ତ୍ରୀଙ୍କ ସହ ବିଏସଏ ବସ ଟର୍ମିନାଲକୁ ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଯାଇଥିଲେ ।

 

Get real time updates directly on you device, subscribe now.