fbpx

ହରିଆଣାରେ କଂଗ୍ରେସର ସୁନାମୀ ଆସିବ: ଯୋଗେନ୍ଦ୍ର ଯାଦବ

ଚଣ୍ଡିଗଡ: ହରିଆଣା ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଗତକାଲି ଅଶୋକ ତନ୍ୱର ବିଜେପି ଛାଡି ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି, ଯାହା ବିଜେପିକୁ ଏକ ଜୋରଦାର ଝଟକା ଦେଇଛି । ଏହା ପରେ ହରିଆଣାର ରାଜନୈତିକ ରଣନୀତିକାର କୁହାଯାଉଥିବା ଯୋଗେନ୍ଦ୍ର ଯାଦବଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଏଥିସହ, ନିର୍ବାଚନକୁ ନେଇ ସେ ତିନୋଟି ସମ୍ଭାବନା ଦର୍ଶାଇଛନ୍ତି, ଯାହା ଅତ୍ୟନ୍ତ ବିସ୍ମୟକର ।

ଯୋଗେନ୍ଦ୍ର ଯାଦବ କହିଛନ୍ତି, ହରିଆଣା ତଥା ଦେଶରେ ମିଛ, ଲୁଟ ଓ ବିଭେଦର ସରକାର ଚାଲିଛି । ଦକ୍ଷିଣ ହରିଆଣା ମିଛ, ଲୁଟ, ଫୁଟକୁ ନେଇ ଭୀତତ୍ରସ୍ତ । କାରଣ ରେବାଡିରୁ ନରେନ୍ଦ୍ର ମୋଦି ପିଏମ ହେବାର ଯାତ୍ରା ଆରମ୍ଭ କରିଥିଲେ । ମୋଦି ବହୁତ କିଛି ପ୍ରତିଶ୍ରୁତି ଦେଇ ଶେଷରେ ଅଗ୍ନିବୀର ସ୍କିମ ଦେଇଦେଲେ । ମୋଦି ୨୦ ବର୍ଷର ଚାକିରିକୁ ଶେଷ କରି ୪ ବର୍ଷର ଠିକା ଚାକିରି କରିଦେଲେ । ଏହି ଅଞ୍ଚଳରୁ ପ୍ରତି ବର୍ଷ ପ୍ରାୟ ୨ ହଜାର ସେନାରେ ଚାକିରି ପାଉଥିଲେ,ଯାହା ଏବେ ସମ୍ଭବ ହେବନି । ତେଣୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଜିତିଲେ ଅଗ୍ନିବୀର ସ୍କିମକୁ ପ୍ରଥମେ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଦକ୍ଷିଣ ହରିଆଣା ଲୁଟର ଶିକାର ହୋଇଛି । ଏଠି ବାଜରା, ସୋରିଷ ଓ ଗହମ ଉତ୍ପାଦନ ହୁଏ । ଏଠି ଧାନ ଉତ୍ପାଦନ ହୁଏନାହିଁ । କିନ୍ତୁ ଏଠାର ଚାଷୀଙ୍କୁ ବିଜେପି ଅଣଦେଖା କରିଛି । ତେଣୁ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି କି, କୃଷକଙ୍କୁ ଏମଏସପି ଆଇନର ଗ୍ୟାରେଣ୍ଟି ଦେବେ । ହରିଆଣାରେ ବିଜେପି ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଲଢେଇ କରିଛି । ରାଜ୍ୟର ଜନତାଙ୍କୁ ଜାଟଙ୍କ ବିରୋଧରେ ଭଡକା ଯାଇଛି ବୋଲି ବିଜେପି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଯୋଗେନ୍ଦ୍ର ଯାଦବ ।

ଏଥିସହ ରାଜ୍ୟରେ କଂଗ୍ରେସର ଭବିଷ୍ୟତକୁ ନେଇ କରିଛନ୍ତି ଭବିଷ୍ୟବାଣୀ । ତିନୋଟି ଯାକ ସମ୍ଭାବନାରେ ସେ କଂଗ୍ରେସ ବିଜୟ ଉପରେ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି । ଯୋଗେନ୍ଦ୍ର କହିଛନ୍ତି, ପୂରା ରାଜ୍ୟରେ କଂଗ୍ରେସର ହାୱା ଚାଲିଛି ଓ କଂଗ୍ରେସ ଆସିବ । ଦ୍ୱିତୀୟ ସମ୍ଭାବନାରେ କହିଲେ, କଂଗ୍ରେସର ଝଡ ବହୁଛି, ତୃତୀୟରେ କହିଛନ୍ତି କି ହରିଆଣାରେ କଂଗ୍ରେସର ଝଡ ନୁହେଁ, ସୁନାମୀ ଆସିବ ।

Get real time updates directly on you device, subscribe now.