fbpx

ନବ ଦାସ ହତ୍ୟାକାଣ୍ଡ: ସୁରକ୍ଷାରେ ଅବହେଳା କରିଥିବା କାରଣରୁ ଚାକିରିରୁ ବହିଷ୍କୃତ ହେଲେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଗତବର୍ଷ ଜାନୁଆରୀ ମାସ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ବିଧାୟକ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧି ଛକରେ ନବ କାରୁ ଓହ୍ଲାଇବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା । ଏହି ସମୟରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ ଦେଓ ପଛ କାରରୁ ଓହ୍ଲାଇ ଘଟଣାସ୍ଥଳକୁ ଦୌଡ଼ି ଆସିବା ବେଳକୁ ସବୁ ସରି ଯାଇଥିଲା । ଗୁଳିବିଦ୍ଧ ଅବସ୍ଥାରେ ନବ ସେହି ସ୍ଥାନରେ ଟଳି ପଡ଼ିଥିଲେ । ରାଜ୍ୟ କ୍ୟାବିନେଟର ଜଣେ ଟାଣୁଆ ନେତାଙ୍କ ହତ୍ୟାକାଣ୍ଡକୁ ନେଇ ସେହି ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ତେବେ ଏହା ମଧ୍ୟରେ ନବଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଶ୍ରୀ ଦେଓଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ପୂର୍ବରୁ ସେ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ନବଙ୍କୁ ସୁରକ୍ଷା ଦେବାରେ ଗୁରୁତର ଅବହେଳା କରିଥିବା ଦର୍ଶାଇ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଗତ ମାସ ୨୭ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ ସ୍ମିତ ପି. ପରମାର ବହିଷ୍କାର ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାରୁ ପୂର୍ବରୁ ସେ ସମୟର ଏସପି, ଏସଡିପିଓ, ବ୍ରଜରାଜନଗର ଥାନା ଇନ୍ସପେକ୍ଟରଙ୍କୁ ତ୍ୱରିତ ଭାବେ ଟ୍ରାନ୍ସଫର କରାଯାଇଥିଲା । ସେହି ସମୟରେ ପିଏସଓ ମିତ୍ରଭାନୁଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଏବେ ତାଙ୍କୁ ଚାକିରିରୁ ବରଦାଖସ୍ତ କରାଯାଇଛି ।

Get real time updates directly on you device, subscribe now.