fbpx

Office Politics ସବୁବେଳେ ଖରାପ ନୁହେଁ! ଅନ୍ୟର ସମସ୍ୟା ବିଷୟରେ ସବୁବେଳେ ଭାବିବା ଆମର କାମ ନୁହେଁ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ସ୍ଥାନରେ ଏକାଧିକ ବ୍ୟକ୍ତିବିଶେଷ ପରସ୍ପର ସଂସ୍ପର୍ଶରେ ଆସିଲେ ଦିନେ ନା ଦିନେ ସେମାନଙ୍କ ମଧ୍ୟରେ ଛୋଟବଡ଼ ବିବାଦ ସୃଷ୍ଟି ହେବା ଅବଶ୍ୟମ୍ଭାବୀ । ତେବେ ଅନେକ ସମୟରେ ଅଫିସ ପଲିଟିକ୍ସ କାରଣରୁ ଅନେକ ଲୋକ ସେମାନଙ୍କର ଚାକିରି ହରାଉଥିବା ନେଇ ଅଭିଯୋଗ କରିଥାନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିଥାଇ ପାରନ୍ତି । ତେବେ ମଣିଷ ଯଦି ତା’ର ପ୍ରତ୍ୟେକ ସମସ୍ୟାର ଅତି ଗଭୀରକୁ ଯାଇ ସକାରାତ୍ମକ ଢଙ୍ଗରେ ବିଚାର କରିବ, ତେବେ ସେ ଜାଣିପାରିବ ଯାହାକୁ ସେ ସମସ୍ୟା ବୋଲି କହୁଛି ତାହା ବାସ୍ତବରେ ସମସ୍ୟା ନୁହେଁ ।

ଅଫିସ ପଲିଟିକ୍ସ କହି ଆମେ ଅନ୍ୟକୁ ଯେଉଁ ନିନ୍ଦା କରୁ ତାହା ବାସ୍ତବରେ ଅନ୍ୟର ସମସ୍ୟା ହୋଇଥାଏ । ଆମେ ତାକୁ ନିଜ ଆଡ଼କୁ କାହିଁକି ଟାଣିବା? ଅଫିସରେ ଯଦି କିଛି ପଲିଟିକ୍ସ ହେଉଛି ବା ସମସ୍ୟା ହେଉଛି ତାହା ଆମର ସମସ୍ୟା ନୁହେଁ । ଯଦି ଆମର କାହା ସହ କିଛି ମତାନ୍ତର ହେଉଛି ବା ବିବାଦ ହେଉଛି ତେବେ ତାହାକୁ ଏକ ଅଘଟଣ ବୋଲି ଭାବି ଆମେ ଆଗକୁ ବଢ଼ିବା ଉଚିତ । ଆମେମାନେ ଯଦି ସର୍ବଦା ନିଜର କ୍ୟାରିୟର, ନିଜର ପରିବାର କଥା ଚିନ୍ତା କରି ସତପଥରେ ଆଗକୁ ବଢ଼ିବା ତେବେ ପ୍ରଥମେ ହୁଏତ କିଛିଟା ସମସ୍ୟା ଆସିପାରେ, ମାତ୍ର ଆପଣଙ୍କୁ କେହି ହରାଇ ପାରିବେ ନାହିଁ ।

ଅନେକ ସମୟରେ କିଛି ଅଫିସରେ କଠୋର ନିୟମ ଲାଗୁହେଲେ ଅନେକ ତାହାକୁ ଅଫିସ ପଲିଟିକ୍ସ, ଟକ୍ସିକ୍ ପରିବେଶ ବୋଲି ଆଖ୍ୟା ଦେଇଥାନ୍ତି । କିନ୍ତୁ ଆପଣମାନେ ଥରେ ଭାବି ଦେଖନ୍ତୁ ଶତ ପ୍ରତିଶତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଅଫିସର ନିୟମ କର୍ମଚାରୀମାନଙ୍କୁ ଭବିଷ୍ୟତରେ ଫାଇଦା ହିଁ ଦେଇଥାଏ । ଅଫିସରେ ଯଦି ସଠିକ୍ ଟାଇମରେ ଆସିବାକୁ କୁହାଯିବ, ତେବେ ତାହା ଆମକୁ ପ୍ରଥମେ ପ୍ରଥମେ ଅସୁବିଧାରେ ପକାଇପାରେ, ମାତ୍ର ଏହି ଅଭ୍ୟାସ ବର୍ଷ ବର୍ଷ ଧରି ଜାରି ରହିଲେ ତାହା ଆମକୁ ସମୟାନୁବର୍ତ୍ତିତା କରିବା ସହିତ କାର୍ଯ୍ୟ ପ୍ରତି ଆମର ଫୋକସ୍ ବଢ଼ାଇଥାଏ ।

ଯଦି କୌଣସି ଅଫିସରେ କିଛି ପଲିଟିକ୍ସ ହୁଏ ଓ ଆପଣ ନିଜର ଚାକିରି ହରାନ୍ତି, ତେବେ ମନେରଖନ୍ତୁ ଆପଣମାନେ ଯଦି ସତପଥରେ ଥିବେ ତେବେ ଆପଣଙ୍କର ଆତ୍ମବିଶ୍ୱାସ କେବେ ବି ଡାଉନ୍ ହେବ ନାହିଁ । ଜୀବନ ଅଛି ମାନେ ଏଠି ଅନେକ ଘଟଣା, ଦୁର୍ଘଟଣା ନିଶ୍ଚୟ ଘଟିବ । କିନ୍ତୁ ସବୁବେଳେ ଯଦି ଆମେ ତାହାକୁ ନିନ୍ଦା କରିବା, ଦିନରାତି ଖାଲି ଭାବି ରହିବ, ଖାଲି ଅନ୍ୟକୁ ଦୋଷ ଦେବା ତେବେ ଏହାଦ୍ୱାରା ଆମର ବ୍ରେନ ରୁଗଣ ହୋଇଯିବ । ଆପଣଣଙ୍କ ବ୍ରେନ ଆକ୍ଟିଭ ନ ରହିଲେ ଆପଣ ଭଲ କଥା ଚିନ୍ତା କରିପାରିବେ ନାହିଁ । ଗୋଟିଏ କ୍ଷତି ପାଇଁ ଆପଣ ପୁଣି ନିଜର କ୍ଷତି କରିଚାଲିବେ । ତେଣୁ କ୍ଷଣିକ ଆତ୍ମସନ୍ତୋଷ ବା ଇଗୋ ପାଇବା ଆଶାରେ ଆମେ ନିଜର ସୁନେଲି ଭବିଷ୍ୟତକୁ କାହିଁକି ନଷ୍ଟ କରିବା? ପ୍ରତ୍ୟେକ ସମସ୍ୟାକୁ ଯଦି ଆପଣ ଗଭୀର ଭାବେ ଚିନ୍ତା କରିବା ତେବେ ଦେଖିବେ ତାହା ଗୋଟିଏ ବିନ୍ଦୁ ପାଲଟିଯିବ, ଯାହାକି ଆପଣଙ୍କ ମନକୁ ଆଦୌ ପ୍ରଭାବିତ କରିପାରିବ ନାହିଁ । ଏ ଦୁନିଆରେ ଘଟୁଥିବା ଅନେକ ଖରାପ କାର୍ଯ୍ୟ ବା ଘଟଣା ଆଜି ପାଇଁ ହୁଏତ ଖରାପ ହୋଇଥାଇପାରେ, ମାତ୍ର ଆଗାମୀ ଦିନରେ ତାର କୌଣସି ପ୍ରଭାବ ରହିନଥାଏ । ତେଣୁ ଆଜିର ସମସ୍ୟାକୁ ନେଇ ଆମେ ଏତେ ଚିନ୍ତା କରିବା କାହିଁକି ।

Get real time updates directly on you device, subscribe now.