fbpx

ରାଜ୍ୟରେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ମିଳିବ ନିଯୁକ୍ତିପତ୍ର, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ନିଯୁକ୍ତ ପାଇବେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ। ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରାଇବେ।

କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚୟନ ହୋଇଥିବା ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ଜଣ ଥିବା ବେଳେ ବାଲେଶ୍ୱରରେ ୬୦୦, ବରଗଡ଼ରେ ୪୭୯, ଭଦ୍ରକରେ ୨୬୦, ବଲାଙ୍ଗୀରରେ ୧,୦୮୦, ବୌଦ୍ଧରେ ୬୫, କଟକରେ ୮୯୩, ଦେବଗଡ଼ରେ ୨୧, ଢେଙ୍କାନାଳରେ ୫୮୩, ଗଜପତିରେ ୧୩, ଗଞ୍ଜାମରେ ୧,୨୬୪, ଜଗତସିଂହପୁରରେ ୮୮, ଯାଜପୁରରେ ୮୭୨, ଝାରସୁଗୁଡ଼ାରେ ୩୮, କଳାହାଣ୍ଡିରେ ୮୧୧, କନ୍ଧମାଳରେ ୧୫୧, କେନ୍ଦ୍ରାପଡ଼ାରେ ୧,୦୩୮, କେନ୍ଦୁଝରରେ ୧,୩୨୯, ଖୋର୍ଦ୍ଧାରେ ୭୫୩, କୋରାପୁଟରେ ୯୨୨, ମାଲକାନଗିରି ଜିଲ୍ଲାରେ ୫୫୫ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୮୨୭, ନବରଙ୍ଗପୁରରେ ୮୬୦, ନୟାଗଡ଼ରେ ୮୩, ନୂଆପଡ଼ାରେ ୨୨୧, ପୁରୀରେ ୭୩୩, ରାୟଗଡ଼ାରେ ୫୧୧, ସମ୍ବଲପୁରରେ ୨୧୮, ସୁବର୍ଣ୍ଣପୁରରେ ୧୫୭ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ଏହା ସହାୟକ ହେବ। ୨୦୩୬ ସୁଦ୍ଧା ରାଜ୍ୟ ସରକାର ବିକଶିତ ଓଡ଼ିଶା ଗଠନର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେ ଦିନରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.