fbpx

ରାଜ୍ୟ ପୋଲିସ କର୍ମୀ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା, ଥାନାରେ ଆଚରଣ ପାଇଁ ଜାରି ହେବ SOP

ଭୁବନେଶ୍ୱର: ନିକଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ପୋଲିସର ଅମାନବୀୟ ଆଚରଣକୁ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର । ଥାନାରେ ସେନା କର୍ମଚାରୀମାନଙ୍କ ପ୍ରତି ପୋଲିସର ଆଚରଣ ଓ ଆଭିମୁଖ୍ୟ କିଭଳି ରହିବ ସେଥିପାଇଁ ଖୁବଶୀଘ୍ର ଗୃହ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ବା ମାର୍ଗଦର୍ଶିକା ଆସିବ । ଓଡ଼ିଶା ହାଇକୋର୍ଟଙ୍କୁ ଏନେଇ ରାଜ୍ୟ ସରକାର ଅବଗତ କରିଛନ୍ତି । ନଭେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯିବ ଓ ସମସ୍ତ ପୋଲିସକର୍ମୀଙ୍କୁ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ନିମନ୍ତେ ଏକ ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ ମଡ୍ୟୁଲ ପ୍ରସ୍ତୁତ ନିମନ୍ତେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯାଇଛି ବୋଲି ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଥାନାଗୁଡ଼ିକରେ କାହିଁକି ସିସିଟିଭି କାର୍ଯ୍ୟକ୍ଷମ ହୋଇନି ବୋଲି ଦର୍ଶାଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଥିଲେ । ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ହାଜର ହୋଇ ପୋଲିସ ଥାନାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଆକାରରେ ଜଣାଇଥିଲେ । ଶ୍ରୀ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୨୦୨୪ ସେପ୍ଟେମ୍ବର ୨୪ତାରିଖ ସୁଦ୍ଧା ରାଜ୍ୟର ୪୫୬ଟି ଥାନାରେ ୨୨୬୬ଟି ସିସିଟିଭି କ୍ୟାମେରା ଖରାପ ଅବସ୍ଥାରେ ଥିଲା । ତେବେ ଏହାର ମରାମତି କାର୍ଯ୍ୟ କରାଯାଥିବା ଜଣାପଡ଼ିଛି । ଏହା ଥାନାଗୁଡ଼ିକରେ ଲାଗିଥିବା ମୋଟ ସିସିଟିଭି କ୍ୟାମେରା ପରିମାଣର ୧୦ପ୍ରତିଶତରୁ କମ୍ । ବାକି ସମସ୍ତ ଅକାମୀ ସିସିଟିଭି କ୍ୟାମେରାକୁ ୨୦୨୪ ନଭେମ୍ବର ୧୫ତାରିଖ ସୁଦ୍ଧା ମରାମତି କରାଯିବ ବୋଲି ସେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ୫୭ଟି ଥାନାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି ଓ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ୫୨ଟି ନୂଆ ଥାନା ମଧ୍ୟରୁ ୪୯ଟି ଥାନାରେ ସିସିଟିଭି କ୍ୟାମେରା ଲାଗି କାର୍ଯ୍ୟକ୍ଷମ କରୁଛି ଓ ବାକି ଥାନାରେ ଖୁବଶୀଘ୍ର ଶେଷ ହେବ ବୋଲି ସେ କହିଥିଲେ ।

ସେହିପରି ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ଏକ ଷ୍ଟାଣ୍ଡାର୍ଡ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯାଇଛି । ସେହିପରି ସମସ୍ତ ଥାନା ଓ ଆଉଟପୋଷ୍ଟରେ ସିସିଟିଭି ପରିଚାଳନା ସୁବିଧା ନିମନ୍ତେ ରିଫ୍ରେସର ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓକାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଥିବା ଶ୍ରୀ ଗଙ୍ଗୱାର ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.