fbpx

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା!

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଗତ ୯ ତାରିଖ ଦିନ ନାୟବ ସିଂହ ସୈନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ଶ୍ରୀ ସୈନୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ବିଜେପିର ଶୀର୍ଷ ନେତାଙ୍କ ସହ ସାକ୍ଷାତ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସୈନୀଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ ବୋଲି ସୈନୀ କହିଥିଲେ । ତେବେ ସୈନୀଙ୍କୁ ବିଜେପି ହରିୟାଣାରେ ରିପିଟ୍ କରିପାରେ ବୋଲି କୁହାଯାଉଛି । ଏଥିସହିତ ବିଭିନ୍ନ ରାଜ୍ୟ ପରି ହରିୟାଣାରେ ମଧ୍ୟ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ପାରନ୍ତି ବୋଲି କୁହାଯାଉଛି ।

ତେବେ ଅକ୍ଟୋବର ୧୨ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ନେଇ ଚର୍ଚ୍ଚା ହେଉଥିଲା । ପଞ୍ଚକୁଲାର ପରେଡ୍ ଗ୍ରାଉଣ୍ଡରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ଏବେ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୫ ତାରିଖଷର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେଇ ପାରନ୍ତି ବୋଲି କୁହାଯାଉଛି । ଶପଥ ଗ୍ରହଣ ପୂର୍ବରୁ ଚଣ୍ଡିଗଡ଼ରେ ଦଳର ବିଧାୟକ ଦଳ ବୈଠକ ବସିବ । ଏପରିକି ଶପଥ ଗ୍ରହଣ ତାରିଖ ୧୬ ତାରିଖକୁ ବି ଘୁଞ୍ଚାଇ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପଲବ୍ଧତା ଉପରେ ଶପଥ ଗ୍ରହଣ ନିର୍ଭର କରୁଛି ।

Get real time updates directly on you device, subscribe now.