fbpx

Record Never Broke! କ୍ରିକେଟ ଇତିହାସର ୧୦ଟି ବଡ଼ ରେକର୍ଡକୁ କେହି ଭାଙ୍ଗି ପାରିବେନି, ଦଶନ୍ଧି ଦଶନ୍ଧି ରହି ରହିଛି ଅତୁଟ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ରହିଥିବା ବେଳେ କିଛି ରେକର୍ଡ ବର୍ଷ କେଇଟାରେ ଭାଙ୍ଗି ଯାଉଥିବା ବେଳେ ଆଉ କିଛି ଦଶନ୍ଧି ଦଶନ୍ଧି ଧରି ଅତୁଟ ରହିଥାଏ । ତେବେ କ୍ରିକେଟ ଜଗତରେ ଏପରି ୧୦ଟି ବଡ଼ ରେକର୍ଡ ରହିଛି ଯାହାକି ଭବିଷ୍ୟତରେ ଭାଙ୍ଗିବା ମୁସ୍କିଲ ନୁହେଁ, ଅସମ୍ଭବ ହୋଇପାରେ । ସେହି ରେକର୍ଡରେ କିଛି ଭାରତୀୟଙ୍କ ନାମ ମଧ୍ୟ ସାମିଲ ରହିଛି ।

୧- ଅଷ୍ଟ୍ରେଲୀୟ ମହାନ୍ ବ୍ୟାଟ୍ସମ୍ୟାନ ଡନ୍ ବ୍ରାଡମ୍ୟାନ କେବଳ ୫୨ଟି ଟେଷ୍ଟ ଖେଳିଥିବା ବେଳେ ସେ ନିଜ କ୍ୟାରିୟରରେ ୬,୯୯୬ ରନ୍ ସଂଗ୍ରହ କରିଥିଲେ । ତାଙ୍କର ବ୍ୟାଟିଂ ହାର ୯୯.୯୪ ରହିଥିଲା, ଯାହାକି କ୍ରିକେଟ ଇତିହାସରେ ସର୍ବାଧିକ । ଏହି ରେକର୍ଡକୁ ଅତିକ୍ରମ କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ନିଶ୍ଚିତ ଭାବେ ଅସମ୍ଭବ । ଏଥିସହିତ ଟେଷ୍ଟରେ ସର୍ବାଧିକ ୧୨ଟି ଦ୍ୱିଶତକ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେହିପରି ତାଙ୍କ ନାମରେ ଗୋଟିଏ ଟିମ୍ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫,୦୨୮ ରନ୍ ସଂଗ୍ରହ କରିବାର ରେକର୍ଡ ରହିଛି ।

୨- ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୨୨ ବର୍ଷୀ ୯୧ ଦିନର ଲମ୍ବା କ୍ୟାରିୟର ମଧ୍ୟରେ ୪୬୩ଟି ଦିନିକିଆରେ ୪୫୨ଟି ଇନିଂରେ ୪୪.୮୩ ଆଭରେଜରେ ୧୮,୪୨୬ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ରହିଛି । ୨୦୦ ରନ୍ ସଚିନଙ୍କ କ୍ୟାରିୟରର ବେଷ୍ଟ ରହିଥିଲା । ବର୍ତ୍ତମାନ ସମୟରେ କମ୍ ଅନ୍ତର୍ଜାତୀୟ ଦିନିକିଆ ଖେଳାଯାଉଥିବାରୁ ସଚିନଙ୍କ ଏହି ରନ୍ ରେକର୍ଡ ଭାଙ୍ଗିବା କଷ୍ଟକର ହୋଇପଡ଼ିବ ।

୩- ଅଷ୍ଟ୍ରେଲୀୟ କ୍ରିକେଟର ଜେସନ ଗିଲେସ୍ପି ନାଇଟ ୱାଚମ୍ୟାନ ଭାବେ ଆସି ଅପରାଜିତ ୨୦୧ ରନ୍ ସଂଗ୍ରହ କରିଥିଲେ । ୨୦୦୬ରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଗିଲେସ୍ପି ହାସଲ କରିଥିବା ଏହି ଦ୍ୱିଶତକ ରେକର୍ଡକୁ ଭାଙ୍ଗିବା ଅନ୍ୟ ଖେଳାଳିଙ୍କ ପାଇଁ ନିଶ୍ଚିତ ମୁସ୍କିଲ ହୋଇପଡ଼ିବ ।

୪- ୨୦୧୪ରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ଐତିହାସିକ ୨୬୪ ରନ୍ ସଂଗ୍ରହ କରିଥିଲେ । ରୋହିତଙ୍କ ଏହି ବ୍ୟକ୍ତିଗତ ସର୍ବାଧିକ ସ୍କୋରକୁ ଆଗାମୀ ଦିନରେ ବୋଧହୁଏ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିପାରିବେ ନାହିଁ ।

୫- ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ୧୭୫ ରନର ଇନିଂସ ଭାଙ୍ଗିବା ନିହାତି ପକ୍ଷେ କଷ୍ଟକର ହେବ । ୨୦୧୩ରେ ଆଇପିଏଲରେ ପୁଣେ ୱାରିୟର୍ସ ବିପକ୍ଷରେ ମାତ୍ର ୬୬ଟି ବଲରେ ଗେଲ ଏହି ବିଶ୍ୱ ରେକର୍ଡ କରିଥିଲେ ।

୬- ଦିନିକିଆ କ୍ରିକେଟରେ ବିନା ଅର୍ଦ୍ଧଶତକରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡ ପାକିସ୍ତାନୀ କ୍ରିକେଟର ମିସବା ଉଲ ହକଙ୍କ ନାମରେ ରହିଛି । ୧୬୨ଟି ମ୍ୟାଚରେ ମିସବା ୪୩.୪୧ ହାରରେ ୫,୧୨୨ ରନ୍ ସଂଗ୍ରହ କରିଥିଲେ ।

୭- ଇଂଲଣ୍ଡର ମହାନ୍ ବୋଲର ଜିମ ଲେକର ଗୋଟିଏ ଟେଷ୍ଟ ମ୍ୟାଚରେ ୧୯ଟି ୱିକେଟ ଅକ୍ତିଆର କରିଥିଲେ । ୬୮ ବର୍ଷ ହେଲା ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ଅତୁଟ ରହିଛି । ବୋଧହୁଏ ଏହି ରେକର୍ଡକୁ ଅନ୍ୟ କୌଣସି ଖେଳାଳି ଛୁଇଁ ପାରିବେନି ।

୮- ଶ୍ରୀଲଙ୍କାର ବୋଲର ଚାବିଣ୍ଡା ଭାସ ୨୦୦୧ରେ ଦିନିକିଆରେ ୮ଟି ୱିକେଟ ନେଇ ବିଶ୍ୱ ରେକର୍ଡ କରିଥିଲେ । ୨୩ ବର୍ଷ ଧରି ଭାସଙ୍କ ସେହି ବିଶ୍ୱ ରେକର୍ଡ ଆଜି ପର୍ଯ୍ୟନ୍ତ ଅତୁଟ ରହିଛି । ଭାତ୍ର ମାତ୍ର ୧୯ ରନ୍ ଦେଇ ଏତେ ସଂଖ୍ୟକ ୱିକେଟ ଅକ୍ତିଆର କରିଥିଲେ ।

୯- ଶ୍ରୀଲଙ୍କା ବୋଲର ମୁଥିଆ ମୁରଲୀଧରନ ଅନ୍ତର୍ଜାତୀୟ କ୍ରିକେଟରେ ୧୩୪୭ଟି ୱିକେଟ ହାସଲ କରିଛନ୍ତି । ସେ ୧୩୩ଟି ଟେଷ୍ଟ, ୩୫୦ଟି ଦିନିକିଆ, ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ସମସ୍ତ ୱିକେଟ ନେଇଥିଲେ । ଟେଷ୍ଟ କ୍ରିକେଟରେ ମୁରଲୀ ନେଇଥିବା ୮୦୦ ୱିକେଟର ନିକଟତର ହେବା ଅନ୍ୟ ବୋଲରଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ।

୧୦- ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ଜ୍ୟାକ ହୋବସ ପ୍ରଥମ ଶ୍ରେଣୀ କ୍ରିକେଟରେ ମୋଟ ୬୧,୭୬୦ ରନ୍ ସଂଗ୍ରହ କରିଥିଲେ । ସେ ୧୯୯ଟି ଶତକ ଓ ୨୭୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ହୋବସଙ୍କର ଆଭରେଜ ୫୦.୭୦ ରହିଥିଲା । ସେ ୧୯୦୧ ମସିହା ଜାନୁଆରୀ ପହିଲାରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ।

Get real time updates directly on you device, subscribe now.