fbpx

ମିଲିଟାରୀ କ୍ୟାମ୍ପରେ ବିସ୍ଫୋରଣ ହୋଇ 2 ଅଗ୍ନିବୀର ଶହୀଦ, ପରିବାରକୁ କେତେ ଟଙ୍କା ମିଳିବ ଜାଣନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକରେ ଅବସ୍ଥିତ ମିଲିଟାରୀ କ୍ୟାମ୍ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ତାଲିମ ସମୟରେ ଗୁଳି ଚାଳନା ଅଭ୍ୟାସ କରୁଥିବା ବେଳେ ଘଟିଲା ବଡ ଅଘଟଣ । ବିସ୍ଫୋରଣ ହୋଇ 2 ଅଗ୍ନିବୀର ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୁରା କ୍ୟାମ୍ପରେ ବିଶୃଙ୍ଖଳା ହୋଇଥିଲା । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କୁ ଶହୀଦର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି । ତେବେ ଆପଣ ଜାଣିଛନ୍ତି କି, ଡ୍ୟୁଟି ସମୟରେ ଅଗ୍ନିବୀରଙ୍କ ଦେହାନ୍ତ ହେଲେ ତାଙ୍କ ପରିବାରକୁ କେଉଁ ସୁବିଧା ମିଳେ?

କେବେ ଆରମ୍ଭ ହୋଇଥିଲା ଅଗ୍ନିପଥ ଯୋଜନା- 2022 ମସିହାରେ ସରକାର ଭାରତୀୟ ସେନାରେ ସୈନିକ ନିଯୁକ୍ତି ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାର ନାମ ଅଗ୍ନିପଥ ରଖାଯାଇଥିଲା । ଏହି ଯୋଜନା ଅଧୀନରେ ସୈ ନିକମାନେ 4 ବର୍ଷ ପାଇଁ ସେନାରେ ନିଯୁକ୍ତ ହୁଅନ୍ତି ଏବଂ ଏହାପରେ ସେମାନଙ୍କୁ ଅଗ୍ନିବୀର କୁହାଯାଏ । ଏହି ଯୋଜନା ଅଧୀନରେ ସଶସ୍ତ୍ର ବାହିନୀରେ ସୈନିକ ନିଯୁକ୍ତି ପାଇଁ ବୟସ 17.5 ରୁ 21 ବର୍ଷ ସ୍ଥିର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଗ୍ନିପଥ ଯୋଜନା ମାଧ୍ୟମରେ ଭାରତୀୟ ସେନା, ବାୟୁ ଏବଂ ନୌସେନାରେ ହଜାର ହଜାର ସୈନିକ ନିଯୁକ୍ତ ହୋଇଛନ୍ତି ।

କେତେ ଦରମା ପାଆନ୍ତି ଅଗ୍ନିବୀର- ଅଗ୍ନିପଥ ଯୋଜନାରେ ନିଯୁକ୍ତି ପରେ ପ୍ରତି ମାସରେ 30 ହଜାର ଟଙ୍କା ଦରମା ପାଆନ୍ତି । କିନ୍ତୁ ଆକାଉଣ୍ଟକୁ 21 ହଜାର ଆସିଥାଏ । ବେତନର 30 ପ୍ରତିଶତ ଅର୍ଥାତ୍ 9 ହଜାର ଟଙ୍କା ବେତନ ପାଇଁ କଟାଯାଇଥାଏ । ଅଗ୍ନିବୀରଙ୍କ ଦରମା ପ୍ରତିବର୍ଷ 10 ପ୍ରତିଶତ ବୃଦ୍ଧି ପାଇଥାଏ ଏବଂ ଏହାର 30 ପ୍ରତିଶତ ସେବା ନିଧି ପାଣ୍ଠି ଭାବରେ କଟାଯାଇଥାଏ ।

ଡ୍ୟୁଟିରେ ଜୀବନ ଗଲେ ପରିବାରକୁ କଣ ମିଳେ- ଯଦି କୌଣସି ଅଗ୍ନିବୀରଙ୍କ ଡ୍ୟୁଟି ସମୟରେ ଦେହାନ୍ତ ହୁଏ ତେବେ ପରିବାର ସଦସ୍ୟଙ୍କୁ ସରକାର କ୍ଷତିପୂରଣ ଦେଇଥାନ୍ତି । ଆର୍ମି ଓ୍ବେବସାଇଟ ଅନୁସାରେ, ଅଗ୍ନିବୀରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ 48 ଲକ୍ଷ ଟଙ୍କାର ବିମା ରାଶି, ବଳକା ରହିଥିବା କାର୍ଯ୍ୟକାଳ ସମୟର ଦରମା ପ୍ରଦାନ କରାଯାଇଥାଏ ।

ଡ୍ୟୁଟିରେ ଅଗ୍ନିବୀର ବିକଳାଙ୍ଗ ହେଲେ କଣ ମିଳିବ- ଡ୍ୟୁଟିରେ ଅଗ୍ନିବୀକ ବିକଳାଙ୍ଗ ହେଲେ ତାଙ୍କୁ ରାଶି ପ୍ରଦାନ କରାଯାଇଥାଏ । ଯଦି ଆଗ୍ନିବୀର 100 ପ୍ରତିଶତ ଅକ୍ଷମ ହୋଇଯାଏ, ତେବେ ତାଙ୍କୁ 44 ଲକ୍ଷ ଟଙ୍କା ମିଳିବ । ସେହିପରି ଯଦି ଅଗ୍ନିବୀର 75 ପ୍ରତିଶତ ଅକ୍ଷମ ହୋଇଯାଏ, ତାଙ୍କୁ 25 ଲକ୍ଷ ଟଙ୍କା ଏକ୍ସ-ଗ୍ରାଚୁଇଟି ରାଶି ଦିଆଯାଏ ଏବଂ 50 ପ୍ରତିଶତ ଅକ୍ଷମତା ହେଲେ ତାଙ୍କୁ 15 ଲକ୍ଷ ମିଳିବ । ଏହା ବ୍ୟତୀତ ସେମାନେ 4 ବର୍ଷର ପୂର୍ଣ୍ଣ ବେତନ, ସେବା ନିଧି ପାଣ୍ଠିରେ ଜମା ହୋଇଥିବା ଅର୍ଥ ଏବଂ ସରକାରଙ୍କ ଅବଦାନ ମଧ୍ୟ ପାଇଥା’ନ୍ତି ।

Get real time updates directly on you device, subscribe now.