ଗଞ୍ଜାମ ବିଜେଡିରେ ବିସ୍ଫୋରଣ: ସାଂସଦ ପ୍ରାର୍ଥିନୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଲତିକା

ଭୁବନେଶ୍ୱର: ଗଞ୍ଜାମରେ ବିଜେଡିର ଶୋଚନୀୟ ପରାଜୟ ବିଭୀଷଣଙ୍କ ପାଇଁ ହୋଇଛି । ଦଳରେ ସାଂସଦ ପ୍ରାର୍ଥିନୀ କରିଥିଲେ ବିଭୀଷଣ କାମ । ବିରୋଧୀଙ୍କ ସହ ହାତ ମିଳାଇ ପାରମ୍ପରିକ ଆସ୍କା ସଂସଦୀୟ ସିଟ ସହ ବିଧାୟକଙ୍କୁ ହରାଇବାକୁ ରଚିଥିଲେ ଷଡଯନ୍ତ୍ର । ଏମିତି କହିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ସେପଟେ ଲତିକାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲତିକା କହୁଥିବା ବିଭୀଷଣ, ଆସ୍କା ବିଜେଡି ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ।

ବିଜେଡିରେ ଚାଲିଛି ଆରୋପ ପ୍ରତିଆରୋପର ଋତୁ । ଯାଜପୁର ବଡଚଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅମର ଶତପଥୀ ଗତ କିଛି ଦିନ ହେବ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଗଞ୍ଜାମ ବିଜେଡିର ଚର୍ଚ୍ଚିତ ଚେହେରା ଲତିକା ପ୍ରଧାନ ଚର୍ଚ୍ଚାକୁ ଆସିଛନ୍ତି । ଲତିକା ଆଜି ଗଣମାଧ୍ୟମ ଆଗରେ ଦଳର ନେତୃତ୍ୱଙ୍କ ବିରୋଧରେ କିଛି କହିନାହାନ୍ତି, କିନ୍ତୁ ଗଞ୍ଜାମର ନେତ୍ରୀଙ୍କୁ ବିଭୀଷଣ ଆଖ୍ୟା ଦେଇଛନ୍ତି । ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ଉପରେ ବର୍ଷିଛନ୍ତି ଲତିକା ।

ଲତିକା କହିଛନ୍ତି, ଆସ୍କା ହେଉଛି ବିଜେଡିର ପାରମ୍ପରିକ ସଂସଦୀୟ କ୍ଷେତ୍ର । ବିଜୁ ବାବୁଙ୍କ ସମୟରୁ ଏହି ସିଟରୁ ଜନତା ଦଳ ଓ ପରେ ବିଜେଡି ଲୋକସଭାକୁ ଯାଇ ଆସୁଥିଲା । କିନ୍ତୁ ରଞ୍ଜିତାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଦଳକୁ ହରାଇବା କାମ କରିଥିଲେ ବିଜେପି ସହ ମିଶି । ରଞ୍ଜିତାଙ୍କ ପାଇଁ ଆସନଟି ବିରୋଧୀ ହାତେଇଲେ । ଆହୁରି ଲତିକା କହିଛନ୍ତି କି, ରଞ୍ଜିତାଙ୍କ ପରିଚାଳନାଗତ ତ୍ରୁଟି ପାଇଁ ଗଞ୍ଜାମରେ ବିଜେଡିର ସବୁ ବିଧାୟକ ହାରିଲେ । ସେ ଗୃହଭେଦୀ ବିଭୀଷଣର ଭୂମିକା ତୁଲାଇଥିଲେ ନିର୍ବାଚନରେ ବୋଲି କହିଛନ୍ତି ଲତିକା । ଏଥିସହ ଏହାର ସବୁ ପ୍ରମାଣ ସୁପ୍ରିମୋଙ୍କୁ ଦିଆ ଯାଇଛି । ତେଣୁ ତାଙ୍କୁ ନିର୍ବାଚନ ପରେ ଦଳରେ କୌଣସି ଦାୟିତ୍ୱ ଦିଆଯାଇନାହିଁ । ଆଗକୁ ସୁପ୍ରିମୋ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଲତିକା ।

ସେପଟେ ଲତିକାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଞ୍ଜିତା । ସେ କହିଛନ୍ତି, ସେ ବିଜେପି ସଂସ୍ପର୍ଶରେ ନଥିଲେ କି ତାଙ୍କର ବିଜେପିରେ ମିଶିବାର ନାହିଁ । ସେ ଦଳରେ ଥିଲେ ଓ ଅଛନ୍ତି । ତେବେ ଏହା ପରିବାରର ଭିତରର କଥା । ଏନେଇ ସେ ସୁପ୍ରିମୋଙ୍କୁ ଜଣାଇବେ ବୋଲି କହିଛନ୍ତି ରଞ୍ଜିତା ।

 

Get real time updates directly on you device, subscribe now.