ପରାଜୟ ପରେ ପୁଣି ଘର ବାହୁଡିବେ ବିଜେଡିକୁ ଆମଦାନୀ ହୋଇଥିବା କଂଗ୍ରେସ ନେତା

ଭୁବନେଶ୍ୱର: କଂଗ୍ରେସ ମୁହାଁ ବହୁ ବିଜେଡି ନେତା । ଏମିତି ବୟାନ ଦେଇ ବିଜେଡିକୁ ଛାନିଆ କରିଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ମୋକିମ ଆଜି କହିଛନ୍ତି କି, ବହୁ ବିଜେଡି ନେତା କଂଗ୍ରେସରେ ଯୋଗ ଦେବାକୁ କଂଗ୍ରେସ ସହ ଯୋଗାଯୋଗ ସ୍ଥାପନ କରିଛନ୍ତି । ଦୀପାବଳି ବଳେକୁ ରାଜ୍ୟ କଂଗ୍ରେସ ସଭାପତି ଚୟନ ହୋଇସାରିଥିଲା । ଏହା ପରେ ବିଜେଡିରୁ ଅନେକ ନେତା କଂଗ୍ରେସରେ ଯୋଗଦେବେ । ଏଥିରେ ମୁଖ୍ୟତଃ ପରାଜୟ ବରଣ କରିଥିବା ନେତା ରହିଛନ୍ତି ।

ମୋକିମଙ୍କ ଏହି ବୟାନ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି । କେଉଁ କେଉଁ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ମୋକିମଙ୍କ କହିବା କଥା ହେଲା ପରାଜୟ ବରଣ କରିଥିବା ବହୁ ନେତା ବିଜେଡି ଛାଡି କଂଗ୍ରେସରେ ସଭାପତି ଦାୟିତ୍ୱ ନେବା ପରେ ଯୋଗ ଦେବେ । ଏଥିରେ ବିଜେପିର ମଧ୍ୟ କିଛି ନେତା ଥିବା ମୋକିମ କହିଛନ୍ତି ।

ମୋକିମଙ୍କ ବୟାନକୁ ନେଇ ରାଜନୈତିକ ସମୀକ୍ଷକ ପୂର୍ବରୁ ଯେଉଁ ଅନୁମା କରୁଥିଲେ, ତାହା ସତ ହେବାକୁ ଯାଉଥିବା ଜଣାପଡୁଛି । ବର୍ତ୍ତମାନ ବିଜେଡିରେ ଯାହା ଚାଲିଛି ତାକୁ ନେଇ ନବାଗତ ନାଖୁସ । ଦଳରେ ମୁଖିଆକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ପ୍ରକାଶ୍ୟରେ ନବୀନ ପଟ୍ଟନାୟକ ଦଳର ଅଧ୍ୟକ୍ଷ ହୋଇଥିବା ବେଳେ ଅପ୍ରକାଶ୍ୟରେ ଭି କାର୍ତ୍ତିକେୟନ ପାଣ୍ଡିଆନ ହେଉଛନ୍ତି ଦଳର ନେତା । ସେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତାଙ୍କ ଇଙ୍ଗିତରେ ଦଳୀୟ ନେତା ବୟାନବାଜି କରୁଛନ୍ତି ଅସନ୍ତୁଷ୍ଟଙ୍କ ବିରୋଧରେ ।

ଏଥିସହ, ପାଣ୍ଡିଆନ ଜନାତାଙ୍କ ସମ୍ମୁଖରେ ସନ୍ୟାସ ନେଇଥିବା ଘୋଷଣା କରିଥିଲେ । ବାସ୍ତବତା ହେଉଛି, ଆଜି ମଧ୍ୟ ତାଙ୍କ ଅଧିକାଂଶ ସମୟ ନବୀନ ନିବାସରେ ବିତୁଛି । ଆଗରୁ ଦଳୀୟ ବିଧାୟକ, ପ୍ରାର୍ଥୀ ଓ ନେତାଙ୍କୁ ନେଇ ହେଉଥିବା ବୈଠକରେ ସେ ଅନୁପସ୍ଥିତ ରହୁଥିଲେ । ଏବେ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ କରିଛନ୍ତି । ଏମିତି କି ତାଙ୍କ ଉପସ୍ଥିତି ନେଇ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ ।
ତେଣୁ ଦଳର ପରାଜୟ ପାଇଁ ଦାୟି ଥିବା ବ୍ୟକ୍ତିଙ୍କୁ ଦଳର ମୁଖିଆ ଦଳୀୟ କାମରେ ନିୟୋଜିତ କରୁଥିବାକୁ ଆମଦାନୀ ନେତା ହୁଏତ ହଜମ କରି ପାରୁନାହାନ୍ତି ।

ତେଣୁ ଯେମିତି କଟକ ବାରବାଟୀର ନେତା ପ୍ରକାଶ ବେହେରା ଦଳକୁ ଗୁଡବାୟ କରିଥିଲେ, ସେମିତି ଆଗାମୀ ଦିନରେ ଅନେକ ଦଳ ଛାଡିବେ । ଆଉ କଂଗ୍ରେସରୁ ଯାଇଥିବା ଓ ବିଜେଡିରେ ଅନେକ ଦିନରୁ କାମ କରିବା ସତ୍ତେ୍ୱ ଦଳରେ ନିଜର ଏକ ସ୍ଥାନ ସୃଷ୍ଟି କରିବାରେ ବିଫଳ ନେତା ମଧ୍ୟ କଂଗ୍ରେସକୁ ଯିବେ ବୋଲି ମୋକିମଙ୍କ ବୟାନ ପରେ ଚର୍ଚ୍ଚା ହେଲାଣି ।

ମୁଖ୍ୟତଃ କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ସାମିଲ ହୋଇଥିବା ନେତାମାନେ ପୁଣି ଘର ବାହୁଡିବାକୁ ଇଛା କରୁଥିବା କୁହାଯାଉଛି । ସେପଟେ ଏହି ପ୍ରସଙ୍ଗରେ ବିଜେପି ଆଗରୁ କହିଥିଲେ, ବିଜେଡିର ବହୁ ନେତା ପଦ୍ମ ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଭାଡି ଖାଲିହେବା ନେଇ ବହୁ ବିଜେପି ନେତା ମଧ୍ୟ କହୁଥିଲେ । ଏବେ ଦେଖିବାକୁ ରହିଲା, ବିଜେପି ଓ କଂଗ୍ରେସର ଏହି ନେତାଙ୍କ କହିବା ପଛରେ ସତ୍ୟତା କେତେ ରହିଛି, ତାହା ପରବତ୍ତୀ ସମୟରେ ଜଣାପଡିବ ।

 

Get real time updates directly on you device, subscribe now.