ଭାରତ-କାନାଡ଼ା ସମ୍ପର୍କ ଉପରେ ଜୟଶଙ୍କରଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ ବଢୁଥିବା ବିବାଦକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ କାନାଡ଼ା, ଭାରତୀୟ ଡିପ୍ଲୋମାଟ୍ଙ୍କ ସହ ଯେପରି ବ୍ୟବହାର କରୁଥିଲା ସେଥିପାଇଁ ଦୋମୁହାଁ ନୀତି କହିବା ବି ଛୋଟିଆ ଶବ୍ଦ ହେବ । ଜୟଶଙ୍କର କହିଛନ୍ତି ଯେ କାନାଡ଼ା ସରକାରଙ୍କ କଥାରୁ ଏପରି ଲାଗୁଛି ଯେ ଭାରତୀୟ କୂଟନୀତିଜ୍ଞଙ୍କ ଜରିଆରେ ନୂଆଦିଲ୍ଲୀ ସହ ସମ୍ପର୍କ କଣ ରହିଛି ତାହା ଜାଣିବାରେ ସେମାନଙ୍କୁ ସମସ୍ୟା ରହିଛି ।

ଏନଡିଟିଭି ୱାର୍ଲଡ୍ ସମିଟ୍ରେ ଯୋଗ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ କାନାଡ଼ାରୁ ଆମ କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ନେବାକୁ ପଡ଼ିଲା । କାରଣ ସେମାନେ ଭାରତର ହାଇକମିଶନଙ୍କ ପୋଲିସ ଯାଞ୍ଚ କଥା କହିଥିଲେ । ସେ କହିଛନ୍ତି ଯେ କାନାଡ଼ାର କୂଟନୀତିଜ୍ଞ ଭାରତ ଆସି ଆମ ସେନା ଏବଂ ଏଠାକାର ସୂଚନା ଏକାଠି କରିବା ବେଳେ କାନାଡାକୁ କୌଣସି ସମସ୍ୟା ହେଉ ନାହିଁ, କିନ୍ତୁ ଭାରତର କୂଟନୀତିଜ୍ଞ ଉପରେ ସେଠାରେ କଟକଣା ଲାଗୁ କରାଯାଉଛି । ସେମାନଙ୍କ ସୁରକ୍ଷା ଉପରେ ହିଁ ପ୍ରଶ୍ନ ଚିହ୍ନ ଉଠୁଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ପାରସ୍ପାରିକ ସହଯୋଗ ଏବଂ ସାମଞ୍ଜସ୍ୟ ଉପରେ ସମ୍ପର୍କ ତିଷ୍ଠି ଥାଏ । ଏହି ସମ୍ପର୍କରେ ଦୋମୁହାଁ ନୀତି ଚାଲିବ ନାହିଁ । ସେ କହିଛନ୍ତି ଯେ ଯେତେବେଳେ କାନାଡ଼ାରେ ବସିଥିବା କୌଣସି ବ୍ୟକ୍ତି ଭାରତ ବିରୋଧରେ କିଛି କହୁଛି କିମ୍ୱା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଖୁଲମଖୁଲା ଧମକ ଦେଉଛି, ଭାରତୀୟ ରାଜନେତାଙ୍କୁ ଧମକ ଦେଉଛି, ତାହାକୁ ବ୍ୟକ୍ତିର ବାକ୍ ସ୍ୱାଧୀନତା ବୋଲି କୁହାଯାଉଛି । ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ କାନାଡା କୂଟନୀତିଜ୍ଞ ରାଗି ବାହାରିଛନ୍ତି ବୋଲି ଯଦି କୌଣସି ଭାରତୀୟ ସାମ୍ୱାଦିକ କହୁଛନ୍ତି ତେବେ ଏହାକୁ ବିଦେଶୀ ହସ୍ତକ୍ଷେପ କୁହାଯାଉଛି । ଏହା ଦୋମୁହାଁ ନୀତି ନୁହେଁ ତ’ ଆଉ କ’ଣ ।

ଜୟଶଙ୍କର କହିଛନ୍ତି ଯେ ବୈଶ୍ୱିକ ବ୍ୟବସ୍ଥା ବଦଳୁଛି । ଏବେ ଯେତେବେଳେ ବିକାଶଶୀଳ ଦେଶ ପଶ୍ଚ୍ୟାତ ଦେଶ ସହ ସମାନ ମଞ୍ଚରେ ଠିଆ ହୋଇଛନ୍ତି ଏବଂ ସାମନାରୁ ଜବାବ ଦେବା ସ୍ଥିତିରେ ଅଛନ୍ତି, ଏହା ସେମାନଙ୍କ ପାଇଁ ଅଡ଼ୁଆ ସ୍ଥିତି ହେଉଛି । ସେମାନେ ଏବେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ ଭାରତ ଏବଂ କାନାଡ଼ାର ଲୋକଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି, ଆମ ବ୍ୟବସାୟୀକ ସମ୍ପର୍କ ମଧ୍ୟ ମଜଭୁତ ଅଛି, କିନ୍ତୁ କୂଟନୈତିକ ସମ୍ପର୍କ ଠିକ୍ ନାହିଁ ।

Get real time updates directly on you device, subscribe now.