ଜଳ ସୁପରିଚାଳନାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା: ଏବେ ବାତ୍ୟା ମୁକାବିଲାରେ ମଧ୍ୟ ସଫଳ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ, ଆଇଏଏସ ଓ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ବ୍ୟବଧାନରେ ଅପଡେଟ୍ ଦିଆଯାଉଛି । ତେବେ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବାତ୍ୟା ମୁତାବିଲା ।

ଏହା ମଧ୍ୟରେ ରାଜ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଜଳ ସୁପରିଚାଳନାରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ଲାଭ କରିଛି । ଏନେଇ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ ସମାରୋହରେ ଓଡ଼ିଶାକୁ ପ୍ରଥମ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଜଳ ସୁପରିଚାଳନାରେ ଓଡ଼ିଶାର ଭୂମିକାକୁ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ଉତ୍ତରପ୍ରଦେଶ ଓ ଗୁଜରାଟ-ପୁଡୁଚେରୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ପୂର୍ବ ଜୋନରେ ବଲାଙ୍ଗିରକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ମିଳିଛି । ଏଥିସହିତ ଶ୍ରେଷ୍ଠ ସ୍କୁଲ ଓ କଲେଜ ଶ୍ରେଣୀରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଖଇରବଣି ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବିନିତା ଦାସଙ୍କୁ ପୁରସ୍କାର ମିଳିଛି । ଜଳର ବ୍ୟବହାର ଓ ସୁପରିଚାଳନା କ୍ଷେତ୍ରରେ ଏହି ସ୍କୁଲର ଉଚ୍ଚକୋଟୀର ଅବଦାନ ପାଇଁ ଏହି ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ପୌରସଂସ୍ଥା ଭାବେ ପୁରୀ ମଧ୍ୟ ଜାତୀୟ ଜଳ ପୁରସ୍କାର ପାଇଛି । ତେବେ ଜଳ ସୁପରିଚାଳନାରେ ଓଡ଼ିଶା ଯେପରି ସୁପରିଚାଳନା କରି ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ପାଇଲା ସେହିପରି ବାତ୍ୟା ମୁକାବିଲାରେ ମଧ୍ୟ ମୁଖ୍ୟମନ୍ତ୍ରୀ ସଫଳ ହେବେ ବୋଲି ରାଜ୍ୟବାସୀଙ୍କ ବିଶ୍ୱାସ ରହିଛି । ବାତ୍ୟାର ସଫଳ ମୁକାବିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ବାତ୍ୟା ସମୟରେ ଜନସାଧାରଣ କିଭଳି ସୁରକ୍ଷିତ ରହିପାରିବେ, ସେନେଇ ରାଜ୍ୟ ସରକାର ଅନେକ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଜଳ ସଂରକ୍ଷଣ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ଦେଶରେ ସଫଳତା ହାସଲ କରିଛି । ରାଜ୍ୟରେ ୫୩ ହଜାର ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ପ୍ରକଳ୍ପ, ୧୧ ହଜାର ଜଳାଶ୍ରୟରେ ପ୍ରାୟ ୧୦,୮୦୦ଟି ଜଳ ଅମଳ ଭିତ୍ତିଭୂମି, ୬୮,୭୦୦ ଜଳ ବିକାଶ ପ୍ରକଳ୍ପ, ୨୧ ହଜାର ବର୍ଜ୍ୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇଛି । ଏଥିସହିତ ୧୮ ହଜାର କିମି ଡ୍ରେନେଜ ଚ୍ୟାନେଲ ନିର୍ମାଣ କରାଯିବା ସହ ୩୯ ହଜାର ହେକ୍ଟର ଚାଷଜମିକୁ ଜଳବନ୍ଦୀରୁ ଉଦ୍ଧାର କରାଯାଇଛି । ୯୦ ହଜାର ୯ ଶହ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ଅଞ୍ଚଳରେ ପରିଣତ କରାଯାଇଛି । ରାଜ୍ୟରେ କ୍ଷୁଦ୍ର ଜଳସେଚନ ଓ ଚେକଡ୍ୟାମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା କାର୍ଯ୍ୟକ୍ଷମ ହେଉଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଓଡ଼ିଶାକୁ ଅନେକ ଥର ଜାତୀୟ ଜଳ ପୁରସ୍କାର ମିଳିଥିଲା ।