ଘଣ୍ଟାପ୍ରତି ୧୨ କିମି ବେଗରେ ମାଡ଼ିଆସୁଛି ‘ଦାନା’: ଧାମରାରୁ ୪୫୦ କିମି ଦୂରରେ ବାତ୍ୟା

ଭୁବନେଶ୍ୱର: ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା ‘ଦାନା’ । ଏହା ବର୍ତ୍ତମାନ ପାରାଦୀପଠାରୁ ୪୨୦ କିମି ଓ ଧାମରାଠାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡକୁ ଗତି କରି ବାତ୍ୟା ଆହୁରି ଘନିଭୂତ ହେବ । ଆଜି ସକାଳ ଭୀଷଣ ବାତ୍ୟାର ରୂପ ନେବ ଏହି ଦାନା । ଏହା ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।

 

ତେବେ ବାତ୍ୟାରେ ବିଶେଷ କରି ୩ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ‘ଦାନା’ର ଅଧିକ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି । ଲ୍ୟାଣ୍ଡଫଲ ପରେ ଏହି ୩ଟି ଜିଲ୍ଲାରେ ପବନର ବେଗ ୧୦୦-୧୨୦ କିଲୋମିଟର ରହିପାରେ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ତେବେ ମୟୁରଭଞ୍ଜରେ ପବନର ବେଗ ସାମାନ୍ୟ କମ୍ ରହିପାରେ । ଏହି ଜିଲ୍ଲାରେ ପଆୟ ୮୦-୯୦ କିଲେମିଯର ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି । ସେହିପରି ଜଗତସିଂହପୁର, କଟକ ଏବଂ ଯାଜପୁରରେ ପବନର ବେଗ ୬୦-୮୦ କିଲୋମିଟର ମଧ୍ୟରେ ରହିପାରେ । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ଢେଙ୍‌କାନାଳ, କେନ୍ଦୁଝର ଆଦି ଜିଲ୍ଲାରେ ୬୦-୭୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।