ନକଲି କୋର୍ଟକୁ ନକଲି ଜଜ୍; ୫ବର୍ଷ ଧରି ଚାଲିଥିଲା ଅଦାଲତ, ଜାଲିଆତି କରି ନେଇଗଲେ ଶହେ ଏକର ସରକାରୀ ଜମି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ନକଲି ଆଇଏଏସ୍, ପୁଲିସ ଅଫିସର, ଡାକ୍ତର ଓ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ କିନ୍ତୁ ଏବେ ଗୁଜରାଟରେ ଏକ ନକଲି ଅଦାଲତ ପଦାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୫ ବର୍ଷ ଧରି ଏହି ଅଦାଲତ ଚାଲିଥିଲା। କେବଳ ସେତିକି ନୁହେଁ, ଏହି ନକଲି ଅଦାଲତ ଜାରି କରିଥିବା ଆଦେଶ ଡିଏମ୍ କାର୍ଯ୍ୟାଳୟରେ ପହଞ୍ଚିବା ସହ ଡିଏମ୍ କାର୍ଯ୍ୟାଳୟରୁ କିଛି ଆଦେଶ ମଧ୍ୟ ଦିଆଯାଇଥିଲା। ଏହି ଅଦାଲତରେ ନକଲି ବିଚାରପତି, ନକଲି ଅଦାଲତ, ନକଲି ଓକିଲ ଥିଲେ। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।

ଗିରଫ ଯୁବକଙ୍କ ନାମ ମୋରିସ୍ ସାମୁଏଲ୍ ଖ୍ରୀଷ୍ଟିଆନ୍, ଯିଏ କି ବୃତ୍ତିରେ ଜଣେ ଓକିଲ ବୋଲି ପୁଲିସ କହିଛି। ସିଭିଲ୍ କୋର୍ଟରେ ଯେଉଁମାନଙ୍କ ଜମି ସମ୍ବନ୍ଧୀୟ ମାମଲା ବିଚାରାଧୀନ ଥିଲା, ସେମାନଙ୍କୁ ସେ ପ୍ରାୟତଃ ଫସାଇ ଦେଉଥିଲେ। ଖ୍ରୀଷ୍ଟିଆନ ତାଙ୍କ କ୍ଲାଏଣ୍ଟମାନଙ୍କୁ କୋର୍ଟ ନଯାଇ ମାମଲାର ସମାଧାନ ପାଇଁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେ ଏକ ନିର୍ଦ୍ଦିଷ୍ଟ ଟଙ୍କା ମଧ୍ୟ ନେଉଥିଲେ। ତାଙ୍କ ସପକ୍ଷରେ ୧୧ରୁ ଅଧିକ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ନାମରେ ପ୍ରାୟ ୧୦୦ ଏକର ସରକାରୀ ଜମି ମଧ୍ୟ ନେଇଥିବା ଅଭିଯୋଗ ହୋଇଛି।

ଥାନାରେ ଅଭିଯୋଗ ହେବା ପରେ ଅହମ୍ମଦାବାଦ ସିଟି ସିଭିଲ କୋର୍ଟରେ ମାମଲାର ଶୁଣାଣି ପାଇଁ ଅଣାଯିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ପୁଲିସ ସୂଚନା ଅନୁଯାୟୀ, ମୋରିସ୍ ସାମୁଏଲ୍ ଖ୍ରୀଷ୍ଟିଆନ ନାମକ ଏହି ଅଭିଯୁକ୍ତ ୨୦୧୯ ମସିହାରୁ ବିଶେଷ କରି ଗାନ୍ଧୀନଗର ଅଞ୍ଚଳରେ ଜମି କାରବାରକ୍ଷେତ୍ରରେ ରାୟ ଶୁଣାଇଆସୁଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଖ୍ରୀଷ୍ଟିଆନ ଅହମ୍ମଦାବାଦରେ ଏକ ନକଲି ମଧ୍ୟସ୍ଥତା କେନ୍ଦ୍ର ସ୍ଥାପନ କରିଥିଲେ ଏବଂ ସରକାରୀ ଜମିରେ ଏହି ଆଦେଶ ଦେଇଥିଲେ। ଅଭିଯୋଗରେ କୁହାଯାଇଛି ଯେ ଖ୍ରୀଷ୍ଟିଆନ ତାଙ୍କ ଗ୍ରାହକଙ୍କ ସପକ୍ଷରେ ସମସ୍ତ ରାୟ ଶୁଣାଇଥିଲେ।