ବାତ୍ୟା ପ୍ରସ୍ତୁତି ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ । ପ୍ରସ୍ତୁତି ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେପଟେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।