ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଗଣ ଦୁଷ୍କର୍ମ, ପରେ ଭିଡିଓକୁ ସୋସିଆଲ ମିଡିଆରେ କଲେ ଭାଇରାଲ

ନୟାଗଡ଼: ପୁଣି ଦୁଷ୍କର୍ମ। ନୟାଗଡ଼ରୁ ଏପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ୩ ଜଣ ଦୁର୍ବୃତ୍ତ ଜଣେ ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଜଣେ ୨୧ ବର୍ଷୀୟ ଝିଅ ନିଜ ପ୍ରେମିକ ସହ ଫତେଗଡ ରାମ ମନ୍ଦିରକୁ ବୁଲିବାକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଛି। ବର୍ତ୍ତମାନ ପୋଲିସ ଥାନାରେ ଏହା ବିରୋଧରେ ଏଫଆଇଆର ଦାଖଲ କରାଯାଇଛି।

ସୂଚନାନୁଯାୟୀ, ଏହି ପ୍ରେମୀ ଯୁଗଳ ଫତେଗଡ଼ରେ ନିର୍ମିତ ରାମ ମନ୍ଦିର ବୁଲିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ୩ଜଣ ଦୁର୍ବୃତ୍ତ ପ୍ରେମୀ ଯୁଗଳଙ୍କୁ ଏକାକୀ ଦେଖି ସେମାନଙ୍କୁ ଅଟକାଇ ଥିଲେ। ଏହାପରେ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରିଥିଲେ। ଖାଲି ଏତିକି ନୁହେଁ, ଏହି ସମସ୍ତ ଦୃଶ୍ୟକୁ ଫୋନରେ ରେକର୍ଡ କରି, ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଛନ୍ତି।

ରିପୋର୍ଟ ମୁତାବକ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଝିଅଟି ଫତେଗଡ଼ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ପୋଲିସ ଅଫିସର ବିମଲ କୁମାର ବାରିକ କହିଛନ୍ତି ଯେ, ଏହି ମାମଲାକୁ ନେଇ ତଦନ୍ତ କରାଯାଇ, ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।