ନୂଆଦିଲ୍ଲୀ: ମେକ୍ସିକୋରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଭୟଙ୍କର ସଡକ ଦୁର୍ଘଟଣାରେ 24ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ବସଟି ପୋଲ ତଳକୁ ଖସିପଡିଥିଲା । ଟ୍ରକକୁ ପଛକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଖସିପଡିବାରୁ ଅତି କମରେ 24ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଉଛି । ତେବେ 5ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାକାଟେକସର ମେକ୍ସିକୋ ସେଣ୍ଟ୍ରାଲ ଷ୍ଟେଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ସକାଳ ସମୟରେ ଯାଉଥିବା ବେଳେ ବେଗ ଅଧିକା ରହିଥିଲା । ଆଗରେ ଯାଉଥିବା ଏକ ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଅଧାରାସ୍ତାରେ ଭାରସାମ୍ୟ ହରାଇଥିଲା । ଶନିବାର ଦିନ ଜାକାଟେକସ୍ ଗଭର୍ଣ୍ଣର ଡେଭିଡ୍ ମୋନେରାଲ୍ 24 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ତେବେ ରାଜ୍ୟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ଏକ ବିବୃତ୍ତିରେ ଏହି ନମ୍ବରକୁ ସଂଶୋଧନ କରାଯାଇଥିବା କୁହାଯାଇଛି । ଦୁର୍ଘଟଣାରେ ଭୁଲ ରହିଥିବା ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଚିତ୍ରରେ ଉଦ୍ଧାର କର୍ମଚାରୀ ଏବଂ ସୁରକ୍ଷା ବାହିନୀ ମୃତଦେହକୁ ବସ୍ ଭିତରକୁ ବାହାର କରୁଛନ୍ତି । ଏହି ବସ୍ ଆମେରିକା-ମେକ୍ସିକୋ ସୀମାରେ ଥିବା ଚିହୁହୁଆ ରାଜ୍ୟରେ ଅବସ୍ଥିତ ସିଉଡାଡ୍ ଜୁଆରେଜ୍କୁ ଯାଉଥିଲା ।