ବିଗିଡ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି : ଦିପାବଳୀ ପୂର୍ବରୁ ୪୦୦ ପାର୍ କଲା AQI

ନୂଆଦିଲ୍ଲୀ : ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ପ୍ରଦୂଷଣ ସ୍ଥିତି । ଆନନ୍ଦ ବିହାରରେ ୪୦୦ ଟପିଲା AQI । ସକାଳୁ ସକାଳୁ ଅଣନିଶ୍ବାସୀ ହୋଇ ପଡ଼ିଲେ ଲୋକେ । ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ନଡ଼ା ନଜାଳିବା ପାଇଁ ଅପିଲ୍ କଲେ ଦିଲ୍ଲୀ ସରକାର ।

ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ପ୍ରଦୂଷଣ ସ୍ଥିତି । ରବିବାର ସକାଳୁ ସକାଳୁ ଆନନ୍ଦ ବିହାରରେ AQI ୪୦୦ ପାର୍ କରିଥିବାବେଳେ ଅନେକ ସ୍ଥାନରେ ୨୫୦ ପାର୍ କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ଇଣ୍ଡିଆ ଗେଟ୍‌ରେ ଲୋକେ ଅଣନିଶ୍ବାସୀ ହୋଇ ପଡ଼ିଥିଲେ । ଦିପାବଳୀ ପୂର୍ବରୁ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ଜାହିର କରିଛନ୍ତି ଦିଲ୍ଲୀବାସୀ । ସେପଟେ ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶେଷ ହୋଇ ଗୁରୁତ୍ବପୂର୍ଣ୍ଣ ବୈଠକ । ନଡ଼ା ଜାଳିବା ଉପରେ ରୋକ୍ ଲଗାଇବା ପାଇଁ ଅପିଲ୍ କରିଛନ୍ତି ଦିଲ୍ଲୀ ସରକାର ।

ଇଣ୍ଡିଆ ଗେଟ୍, ଗାଜିଆବାଦ, ଗୁରୁଗ୍ରାମ, ଆନନ୍ଦ ବିହାର, ଦିଲ୍ଲୀର ଏ ସମସ୍ତ ଅଞ୍ଚଳରେ ସକାଳୁ ସକାଳୁ ଲାଗିଛି ଲୋକଙ୍କ ଗହଳି । କେହି କେହି ମୁହଁରେ ମାସ୍କ ଲଗାଇ ପ୍ରାନ୍ତ ଭ୍ରମଣ କରୁଛନ୍ତି ତ ଆଉ କିଏ ଅଣନିଶ୍ବାସୀ ହୋଇ ପଡୁଛି । ନଭେମ୍ବର ଆରମ୍ଭ ନହେଉଣୁ.. ଏ ହେଉଛି ଦିଲ୍ଲୀର ସ୍ଥିତି । ଦିଲ୍ଲୀରେ ଏବେଠୁ ବିଗିଡ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । AQI ବା ଏୟାର କ୍ବାଲିଟି ଇଣ୍ଡେକ୍ସ ସ୍ଥିତି ବିଗିଡ଼ିବାରେ ଲାଗିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଦିଲ୍ଲୀରେ ୪୦୦ ପାର୍ କରିଛି AQI । ସକାଳୁ ସକାଳୁ ଆନନ୍ଦ ବିହାରରେ AQI ୪୦୫ ରହିଥିଲା । ଜାହାଙ୍ଗୀପପୁରୀ, ନେହେରୁ ନଗର ଓ ବିବେକ ବିହାରରେ ୪୦୦ ପାଖାପାଖି ଥିଲା AQI । ସେହିଭଳି ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ AQI ୩୨୪ ଥିବାବେଳେ ଅକ୍ଷରଧାମରେ ଥିଲା ୨୬୧ । ତମାମ ସ୍ଥାନରେ ୨୫୦ ଉପରେ ରହିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ପ୍ରଦୂଷଣ ବିଗିଡ଼ିବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ପ୍ରାନ୍ତ ଭ୍ରମଣରେ ଆସୁଥିବା ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି । ଯଦି ଆକ୍ଟୋବର ମାସରୁ ସ୍ଥିତି ଏଭଳି ରହିଛି, ତେବେ ଆଗକୁ ଦିଲ୍ଲୀରେ ପ୍ରଦୂଷଣ କି ରୂପ ନେବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀବାସୀ । ଅନେକ ସ୍ଥାନରେ ପାଣି ସ୍ପ୍ରେ କରାଯାଉଥିବା ଦେଖିବାକୁ ମିଳିଥିଲା ।