ନୂଆଦିଲ୍ଲୀ: ରାଜସ୍ଥାନରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଆଜି ଦିନ ଦ୍ୱିପ୍ରହର ସମୟରେ କଲଭର୍ଟକୁ ଧକ୍କା ଦେବା ଫଳରେ ଏକ ବସରେ ଯାତ୍ରା କରୁଥିବା ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସାଲାସରରୁ ଆସୁଥିବା ଏକ ବସ ଅଚାନକ ନିୟନ୍ତ୍ରଣ ହରାଇ ଲକ୍ଷ୍ମଣଗଡ଼ କଲଭର୍ଟ ନିକଟରେ ମାଡ଼ ହୋଇଥିଲା । ଏହି ଦୁର୍ଘଟଣାରେ ବସଟିର ଡ୍ରାଇଭର ସାଇଡ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛଇ । ବସଟିରେ ପାଖାପାଖି ୪୦ ଜଣ ଯାତ୍ରୀ ଆସୁଥିବା ଜଣାପଡ଼ିଛି ।
ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଭିତରୁ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଲକ୍ଷ୍ମଣଗଡ଼ ଓ ସୀକର ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି । ଆଜି ଦ୍ୱିପ୍ରହର ପାଖାପାଖି ୨ଟା ସମୟରେ ଏହି ଅଘଟଣ ଘଟିଥିଲା ।