ଦିୱାଲୀରୁ ଶସ୍ତା ହେବ ପେଟ୍ରାଲ-ଡିଜେଲ! ଜାଣନ୍ତୁ କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ମୂଲ୍ୟ

ଓଡ଼ିଶା ଭାସ୍କର: ରାତି ପାହିଲେ ସାରା ଭାରତରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ଗାଡ଼ିଚାଳକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏହି ଦିୱାଲୀରେ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ । ଏଣିକି ଗାହକମାନେ କମ୍ ଦାମରେ ପେଟ୍ରୋଲ ଏବଂ ଡିଜେଲ ପାଇପାରନ୍ତି । ୭ ବର୍ଷ ପରେ ଏକ ବହୁ ପୁରୁଣା ନିଷ୍ପତ୍ତି ଉପରେ ମୋହର ବାଜିଛି । ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିବା ପରେ ଆଗାମୀ ଦିନରେ ତେଲ ଦର ପ୍ରାୟ ୫ ଟଙ୍କା ଶସ୍ତା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗି ରହିଛି । ଏହି ପୋଷ୍ଟରେ ସେ ଏକ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ପେଟ୍ରୋଲ ଦର ଶସ୍ତା ହେବାର ଗଣିତ ବିଷୟରେ ବୁଝାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ । ଏହାଦ୍ୱାରା ସାଧାରଣ ଜନତାଙ୍କୁ ମହଙ୍ଗା ପେଟ୍ରାଲ-ଡିଜେଲ ଦରରୁ ମୁକ୍ତି ମିଳିବ । ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ୪ ଟଙ୍କା ତଳକୁ ଖସିପାରେ ବୋଲି ପୋଷ୍ଟରେ ସଂକେତ ଦେଇଛନ୍ତି ମନ୍ତ୍ରୀ । ୭ ବର୍ଷ ପରେ ତେଲ କମ୍ପାନୀଗୁଡ଼ିକ ଧନତେରାସ ଅବସରରେ ଡିଲର୍ ମାନଙ୍କ ବଡ଼ ଦାବି ପୂରଣ କରିଛନ୍ତି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଏହି ନିଷ୍ପତ୍ତିର ପ୍ରଭାବ ପରିଲକ୍ଷିତ ହୋଇପାରେ । ଡିଲର ମାନଙ୍କ କମିଶନ୍ ବୃଦ୍ଧି କରିବା ପାଇଁ କମ୍ପାନୀ ତରଫରୁ ଗ୍ରୀନ ସିଗନାଲ ମିଳିଛି । ତେଣୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର କମ୍ ହୋଇପାରେ ।

କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ମୂଲ୍ୟ?

ଗ୍ରାହକଙ୍କ ପାଖରେ ପେଟ୍ରୋଲ ପହଞ୍ଚିବା ପୂର୍ବରୁ ଏହା ବିଭିନ୍ନ ବିଭାଗକୁ ଅତିକ୍ରମ କରିଥାଏ । ପେଟ୍ରୋଲର ବେସ୍ ପ୍ରାଇସରେ ଅଶୋଧିତ ତୈଳର ମୂଲ୍ୟ, ରିଫାଇନିଙ୍ଗ, ପରିବହନ, ଏଣ୍ଟ୍ରି ଟାକ୍ସ, ଅଏଲ କମ୍ପାନୀର କମିଶନ୍, ଡିଲର କମିଶନ୍, ସରକାରଙ୍କ ଏକ୍ସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ ହୋଇଥିବା ‘VAT’ ମଧ୍ୟ ସାମିଲ ହୋଇଥାଏ । ବିଶେଷ କରି ଅଶୋଧିତ ତୈଳ, ଭାରତୀୟ ମୁଦ୍ରା ତୁଳଦାରେ ଆମେରିକା ଡଲାରର ମୂଲ୍ୟ, ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ଟାକ୍ସ ଏବଂ ତେଲର ଡିମାଣ୍ଡ ଉପରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଭର କରିଥାଏ ।