ନୂଆଦିଲ୍ଲୀ: ଛଠ ପୂଜା ପାଇଁ ନଭେମ୍ବର ୭ ତାରିଖରେ ଦିଲ୍ଲୀରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ଏହିଦିନ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯିବ । ଦିଲ୍ଲୀର ଉପରାଜ୍ୟପାଲ ଭିକେ ସାକ୍ସେନା ଏନେଇ ଏକ ପ୍ରସ୍ତାବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିକଟକୁ ପଠାଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ଆତିଶୀ ଏଲଜିଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ନଭେମ୍ବର ୭କୁ ସାର୍ବଜନିକ ଛୁଟି ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉପରାଜ୍ୟପାଳ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଛଠ ପୂଜା ଦିଲ୍ଲୀର ପ୍ରତିବନ୍ଧିତ ଛୁଟି ଲିଷ୍ଟରେ ସାମିଲ ରହିଥିଲା ।
ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଲେଖିଥିଲେ, ‘ଆଗାମୀ କିଛି ଦିନ ମଧ୍ୟରେ ଛଠ ପୂଜା ପଡ଼ିବ । ଏହି ମହାପର୍ବ ୪ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ତୃତୀୟ ଦିନ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କୁ ‘ଅର୍ଘ୍ୟ’ ଦିଆଯିବ, ତାହାକୁ ବେଶ୍ ମହତ୍ୱପୂର୍ଣ୍ଣ ଭାବେ ଗଣାଯାଇଥାଏ । ଚଳିତ ବର୍ଷ ଛଠ ପୂଜା ଅବସରରେ ନଭେମ୍ବର ୭ରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ । ପୂର୍ବରୁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଛୁଟି ଲିଷ୍ଟରେ ଛଠ ପୂଜା ରହିଥିଲା । ତେଣୁ ନଭେମ୍ବର ୭ (ଗୁରୁବାର) ଦିନକୁ ଛୁଟି ଘୋଷଣା କରିବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ।’