ନୂଆଦିଲ୍ଲୀ: ଭାରତରେ ସଂଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ଏକ ସାମ୍ବିଧାନିକ ସଂସ୍ଥା । ଏହା ପରୀକ୍ଷା ମାଧ୍ୟମରେ ଅଲ୍ ଇଣ୍ଡିଆ ସର୍ଭିସେସ ଓ ସେଣ୍ଟ୍ରାଲ ସିଭିଲ୍ ସର୍ଭିସ ପାଇଁ ଅଧିକାରୀଙ୍କୁ ଚୟନ କରିଥାଏ । ଏହି ସମ୍ମାନଜନକ ପଦ ପୂରଣ ପାଇଁ ପ୍ରତିବର୍ଷ ବହୁ ମେଧାବୀ ଏଥିରେ ଅଂଶଗ୍ରହଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କମ୍ ଆଶାୟୀ ଏଥିରେ ସଫଳତା ହାସଲ କରିଥାନ୍ତି । ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଆଦିରେ ନିଯୁକ୍ତି ପାଇଁ ଚୟନ କରାଯାଇଥାଏ ।
ତେବେ ଆଇଏଏସ ପରି ଆଉ ଏକ ସମ୍ମାନଜନକ ପଦ ହେଉଛି ଆଇଏଏଏସ । ଆଇଏଏଏସର ଫୁଲ ଫର୍ମ ହେଉଛି ଇଣ୍ଡିଆନ୍ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସ । ଉଭୟ ଆଇଏଏସ ଓ ଆଇଏଏଏସ ୟୁପିଏସସି ପରୀକ୍ଷା ଜରିଆରେ ଚୟନ ହୋଇଥାନ୍ତି । ସାଧାରଣ ଆଇଏଏସ ଅଧିକାରୀଙ୍କ ବିଷୟରେ ଅଧିକାଂଶ ଲୋକ ଜାଣିଥିବା ବେଳେ ଆଇଏଏଏସ ଅଧିକାରୀଙ୍କ ବିଷୟରେ କମ୍ ଜାଣିଥାନ୍ତି । ତେଣୁ ଏହି ଦୁଇ ପଦ ମଧ୍ୟରେ କ’ଣ ତଫାତ୍ ରହିଛି ତାହା ଜଣେ ଜାଣିବା ନିହାତି ଆବଶ୍ୟକ ।
ଜଣେ ଆଇଏଏସ ଅଧିକାରୀଙ୍କ ସର୍ବୋଚ୍ଚ ପଦ କ୍ୟାବିନେଟ ସେକ୍ରେଟାରୀ ହୋଇଥିବା ବେଳେ ସେ ମାସକୁ ୨,୫୦,୦୦୦ ଟଙ୍କା ବେତନ ପାଇଥାନ୍ତି । ସେହିପରି ଆଇଏଏଏସ ଅଧିକାରୀଙ୍କ ସର୍ବୋଚ୍ଚ ପଦ ଭାରତର ନିୟନ୍ତ୍ରକ ଓ ମାଲେଖା ପରୀକ୍ଷକ ହୋଇଥିବା ବେଳେ ତାଙ୍କର ବେତନ ମଧ୍ୟ ସମାନ ହୋଇଥାଏ । ଜଣେ ଆଇଏଏସ ଅଧିକାରୀ ମଧ୍ୟ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ହୋଇପାରନ୍ତି । ସେଥିପାଇଁ ଜଣେ ଆଇଏଏସ ଅଧିକାରୀ ଅଧିକ ପାୱରଫୁଲ ହୋଇଥାନ୍ତି ।
ଜଣେ ଆଇଏଏସ ଅଧିକାରୀଙ୍କ ଅଧିକ ପବ୍ଲିକ ରୋଲ ରହିଥିବା ବେଳେ ଜଣେ ଆଇଏଏଏସ ଅଧିକାରୀଙ୍କ ରାଜନୀତି କ୍ଷେତ୍ରରେ କମ୍ ହସ୍ତକ୍ଷେପ ରହିଥାଏ । ଆଇଏଏଏସ ଅଧିକାରୀ ଅଡିଟ ପରିଚାଳନା, ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଆସେସ, ସରକାରୀ କାର୍ଯ୍ୟକ୍ରମ ଓ ପଲିସୀର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିଥାନ୍ତି । ଟେନିଂ ପରେ ଜଣେ ଆଇଏଏଏସ ଅଧିକାରୀ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଜେନେରାଲ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦରେ ନିଯୁକ୍ତି ପାଇଥାନ୍ତି । ପରବର୍ତ୍ତୀ ସମୟରେ ସେ ଡେପୁଟୀ ଆକାଉଣ୍ଟାଣ୍ଟସ ଜେନେରାଲ କିମ୍ବା ଡେପୁଟୀ ଡାଇରେକ୍ଟର ପଦକୁ ପ୍ରମୋସନ ପାଇଥାନ୍ତି । ଏହି ଦୁଇ ପଦରେ ଅଧିଷ୍ଠିତ ଅଧିକାରୀଙ୍କର ଅଲଗା ଅଲଗା ୱାର୍କିଂ ପ୍ରୋଫାଇଲ ରହିଥାଏ ।