ଭାରତୀୟ ପ୍ରଶଂସକଙ୍କୁ ଆକୃଷ୍ଟ କରିବା ପାଇଁ PCB ଆପଣାଇଲା ନୂଆ କୌଶଳ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ ରଜା ନକଭି ମଧ୍ୟ ପାକିସ୍ତାନ ସରକାରରେ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଅତୀତରେ ପିସିବି ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଆଇସିସି ଏପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀକୁ ସବୁଜ ସଙ୍କେତ ଦେଇନାହିଁ। ଏବେ ବୋର୍ଡ ଭାରତୀୟ ପ୍ରଶଂସକଙ୍କୁ ଆଶ୍ୱାସନା ଦେଇଛି ଯେ ଯଦି ସେମାନେ ଚାମ୍ପିୟନ୍ସ ଟ୍ରଫିଉପଭୋଗ କରିବାକୁ ପାକିସ୍ତାନ ଆସିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଭିସା ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ମୋହସିନ ରଜା ନକଭି ନିକଟରେ କିଛି ଶିଖ୍ ତୀର୍ଥଯାତ୍ରୀଙ୍କୁ ଭେଟିଥିଲେ ଏବଂ ସେ ଚାମ୍ପିୟନ୍ସ ଟ୍ରଫି କୁ ନେଇ ଭାରତୀୟ ପ୍ରଶଂସକଙ୍କ ସକାରାତ୍ମକ ପ୍ରତିକ୍ରିୟା କୁ ଅପେକ୍ଷା କରିଛନ୍ତି। ପାକିସ୍ତାନର ଏକ ମିଡିଆ ଏଜେନ୍ସି ଅନୁଯାୟୀ ନକଭି କହିଛନ୍ତି ଯେ ଆମେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ପ୍ରସ୍ତୁତ କରିବୁ ଏବଂ ପ୍ରଶଂସକଙ୍କୁ ଖୁବ୍ ଶୀଘ୍ର ଭିସା ଉପଲବ୍ଧ କରାଇବାକୁ ଚାହୁଁଛୁ।

ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜକ ଏବଂ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଫେବ୍ରୁଆରି ଓ ମାର୍ଚ୍ଚରେ ଖେଳାଯିବ। ଏହି ଶୀର୍ଷସ୍ତରୀୟ ଆଇସିସି ଟୁର୍ଣ୍ଣାମେଣ୍ଟଆଉ ମାତ୍ର କିଛି ମାସ ବାକି ଅଛି, କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ, ତାହା ଏପର୍ଯ୍ୟନ୍ତ ମୋହର ମାରିନାହିଁ। ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳକୁ ପାକିସ୍ତାନ ପଠାଯିବ କି ନାହିଁ ତାହା ଭାରତ ସରକାରଙ୍କ ଉପରେ ନିର୍ଭର କରେ।