ବିଜେପି ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ପରଲୋକ: ଭାଇଙ୍କୁ ହରାଇ ଭାଙ୍ଗିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଜମ୍ମୁ କଶ୍ମୀରର ବିଜେପି ବିଧାୟକ ଦେବେନ୍ଦ୍ର ରାଣାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀ ରାଣାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ପରିବାରରେ ନିଜର ପତ୍ନୀ, ଦୁଇଟି ଝିଅ ଓ ଗୋଟିଏ ପୁଅଙ୍କୁ ଛାଡ଼ି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିଧାୟକ । ବିଧାୟକ ଶ୍ରୀ ରାଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ରାଜନେତା ଶୋକବ୍ୟକ୍ତ କରିଥିବା ବେଳେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।

ଶ୍ରୀ ରାଣା ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଭାଇ । ଶ୍ରୀ ରାଣା ଦୀର୍ଘସମୟ ଧରି ଖରାପ ସ୍ୱାସ୍ଥ୍ୟ କାରଣରୁ ଚିକିତ୍ସିତ ହେଉଥିଲେ । ୧୦ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଶ୍ରୀ ରାଣା ନଗରୋଟା ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନ୍ୟାସନାଲ କନଫରେନ୍ସର ଜୋଗିନ୍ଦର ସିଂହଙ୍କୁ ପରାସ୍ତ କରିଥିଲେ ।