ପ୍ରେମିକା ଘରେ ଶୋଇବାକୁ ବାରଣ କରିବାରୁ ନିଜ ପରିବାରର ୬ ଜଣଙ୍କୁ ହତ୍ୟା, ଗର୍ଭବତୀ ଭାଉଜକୁ ବି ଛାଡ଼ିଲାନି ନାବାଳକ  

ନୂଆଦିଲ୍ଲୀ: ୨୦୨୧ ଜାନୁଆରି ୨୪ ତାରିଖର ସେହି ଭୟଙ୍କର ରାତିରେ ଜଣେ ବ୍ୟକ୍ତି ନିଜ ପରିବାରର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ଗୋଟିଏ ପରେ ଗୋଟିଏ କୋଠରୀର କବାଟ ଖୋଲୁଥିଲେ ଏବଂ ସାମ୍ନାକୁ ଆସିଥିବା ବ୍ୟକ୍ତିଙ୍କୁ ଗୁଳି କରୁଥିଲେ । ପ୍ରଥମେ ବାପା, ତା’ପରେ ମାଆ, ତା’ପରେ ଭଉଣୀ ଓ ଭାଇ। ମନ ଭରି ନଥିଲେ ମଧ୍ୟ ସେ ତାଙ୍କ ଭାଉଜଙ୍କୁ ମଧ୍ୟ ଗୁଳି ମାରିଥିଲେ, ଯାହାଙ୍କ ଗର୍ଭରେ ଏକ ଛୋଟ ଜୀବନ ବଢୁଥିଲା । ଏବେ ହତ୍ୟାକାରୀ ୬ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପ୍ରତ୍ୟେକ ହତ୍ୟା ମାମଲାରେ ତାଙ୍କୁ ୪୦ରୁ ୬୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ।

ତେବେ କ’ଣ ଥିଲା ଏହି ପୂରା ଘଟଣା ? ଜଣେ ବ୍ୟକ୍ତି କାହିଁକି ନିଜ ପରିବାରକୁ ନଷ୍ଟ କଲେ? ସେଦିନ ରାତିରେ ଘର ଭିତରେ କ’ଣ ଘଟିଥିଲା? ଆସନ୍ତୁ ଜାଣିବା ଅପରାଧର ଏହି ପୁରା କାହାଣୀ । ଘଟଣାଟି ଇଣ୍ଡିଆନାର ଇଣ୍ଡିଆନାପୋଲିସ ସହରର ହୋଇଥିବା ବେଳେ ଜାନୁଆରୀ ୨୪ ତାରିଖରେ ରେମଣ୍ଡ ରୋନାଲ୍ଡ ଲି ଚାଇଲ୍ଡସ ନାମକ ଏହି ୧୭ ବର୍ଷୀୟ ନାବାଳକ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ବାପା ବିଳମ୍ବରେ ଫେରିବାର କାରଣ ପଚାରିବାରୁ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଅଛନ୍ତି ଏବଂ ତାଙ୍କ ଘରକୁ ଫେରୁଥିବା କହିଥିଲେ। ସେ ରାତିରେ ତାଙ୍କ ପ୍ରେମିକାଙ୍କ ଘରେ ରହିବେ ବୋଲି କହିଥିଲେ।

ଏହା ପରେ ବାପା ତାଙ୍କୁ ଅଟକାଇ ପ୍ରେମିକା ଘରକୁ ଯିବାକୁ ମନା କରିଦେଇଥିଲେ। ଏତିକି କହି ତାଙ୍କ ବାପା ନିଜ କୋଠରୀରେ ଶୋଇବାକୁ ଯାଇଥିଲେ। ବାପା ଭାବିଲେ ଯେ ଘଟଣା ସେଠାରେ ଶେଷ ହୋଇଛି, କିନ୍ତୁ ତାହା ନୁହେଁ। ଗର୍ଲଫ୍ରେଣ୍ଡଙ୍କୁ ଘରକୁ ଯିବାରୁ ଅଟକାଇବା ଘଟଣାରେ ରେମଣ୍ଡ ରାଗି ଯାଇଥିଲେ। ଏତେ ମାତ୍ରାରେ ଯେ ସେ ଘର ଭିତରେ ରଖାଯାଇଥିବା ପିସ୍ତଲକୁ ଉଠାଇ ସିଧା ବାପାଙ୍କ କୋଠରୀକୁ ଯାଇଥିଲେ। ବାପା କିଛି ବୁଝିବା ପୂର୍ବରୁ ରେମଣ୍ଡ ଟ୍ରିଗର୍ ଦବାଇଲେ ଏବଂ ଗୁଳିଟି ତାଙ୍କ ଛାତି ଦେଇ ଚାଲିଗଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କ ବାପା ସେଠାରେ ଯନ୍ତ୍ରଣାରେ ମୃତ୍ୟୁବରଣ କରିଥିଲେ।

ଏହାପରେ ରେମଣ୍ଡ ତାଙ୍କ ମା’ଙ୍କ କୋଠରୀକୁ ଯାଇଥିଲେ ଏବଂ ସେ ତାଙ୍କ ମା’ଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଏହାପରେ ସେ କୋଠରୀର କବାଟ ଖୋଲି ହତ୍ୟା ଜାରି ରଖିଥିଲେ। ଭଉଣୀ ଓ ଭାଇଙ୍କୁ ହତ୍ୟା କରିବା ପରେ ଭାଉଜଙ୍କ କୋଠରୀରେ ପହଂଚି ତାଙ୍କ ସହ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁକୁ ମଧ୍ୟ ହତ୍ୟା କରିଥିଲେ । ଶବ୍ଦ ଶୁଣି ତାଙ୍କ ସାନ ଭାଇ ସେଠାରେ ପହଞ୍ଚିଥିଲେ। ରେମଣ୍ଡ ମଧ୍ୟ ତାଙ୍କୁ ଛାଡି ନଥିଲେ ଏବଂ ଗୁଳି ଚଳାଇଥିଲେ। ଏହାପରେ ସେ ଘରୁ ବାହାରି ପଳାଇ ନିଜ ଜଣେ ସମ୍ପର୍କୀୟଙ୍କ ନିକଟରେ ଲୁଚି ରହିଥିଲେ। ରେମଣ୍ଡ ଭାବିଥିଲେ ଯେ ତାଙ୍କ ପରିବାରରେ କେହି ନାହାନ୍ତି, କିନ୍ତୁ ତାହା ନୁହେଁ ।

ତାଙ୍କ ସାନ ଭାଇଙ୍କୁ ଗୁଳି କରାଯାଇଥିଲା, କିନ୍ତୁ ସେ କେବଳ ଆହତ ହୋଇଥିଲେ। ଚେତା ଫେରିବା ମାତ୍ରେ ସେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍ କରି ନିଜ ଘରେ ଖେଳାଯାଇଥିବା ରକ୍ତାକ୍ତ ଖେଳ ବିଷୟରେ କହିଥିଲେ। ପରଦିନ ପୁଲିସ ରେମଣ୍ଡଙ୍କୁ ଗିରଫ କରିଥିଲା। ପ୍ରଥମେ ସେ କାନ୍ଦିବାର ଅଭିନୟ କରିଥିଲେ, ପରେ ପୂରା ସତ କହିଥିଲେ। ପୁଲିସ ତାଙ୍କ ଘରୁ ପିସ୍ତଲ ମଧ୍ୟ ଜବତ କରିଛି, ଯେଉଁଥିରେ ସେ ଏହି ହତ୍ୟାକାଣ୍ଡ ଘଟାଇଛି। ପାଖାପାଖି ସାଢ଼େ ତିନି ବର୍ଷ ଧରି ଚାଲିଥିବା ଶୁଣାଣି ପରେ ଗତ ସପ୍ତାହରେ ଶୁକ୍ରବାର ରେମଣ୍ଡଙ୍କୁ ୬ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।